Categories: ବାଣିଜ୍ୟ

ଅଭିବୃଦ୍ଧି ପୂର୍ବାନୁମାନ ୫.୫%କୁ ଖସାଇଲା ଫିଚ୍‌

ନୂଆଦିଲ୍ଲୀ,୨୫-୧୦: ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍‌ ରେଟିଂ ଏଜେନ୍ସି ୫.୫%କୁ ଖସାଇଛି। ଋଣ ଅଭିବୃଦ୍ଧିରେ ହ୍ରାସ ଏବଂ ଏନ୍‌ବିଏଫ୍‌ସି ଭଳି ସମସ୍ୟା ଯୋଗୁ ଭାରତର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଏହି ରେଟିଂ ଏଜେନ୍ସି ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ୬.୬% ରହିବ ବୋଲି ଏହା ଚଳିତ ବର୍ଷ ଜୁନରେ ପୂର୍ବାନୁମାନ କରିଥିଲା। ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ଦ୍ୱାରା ଭାରତର ଅଭିବୃଦ୍ଧି ଧାରା ତ୍ୱରାନ୍ବିତ ହେବ । ସରକାର ଗ୍ରହଣ କରିଥିବା କର୍ପୋରେଟ ଟିକସ ହ୍ରାସ ଅଭିବୃଦ୍ଧିକୁ ଧିରେ ଧିରେ ତ୍ୱରାନ୍ବିତ କରିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି। ଦେଶର ଜିଡ଼ିପି ଅଭିବୃଦ୍ଧି ୬.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଅକ୍ଟୋବରରେ ପୂର୍ବାନୁମାନରେ କହିଛି। ଫିଚ କରିଥିବା ଏହି ପୂର୍ବାନୁମାନ ରିଜର୍ଭ ବ୍ୟାଙ୍କ ଆକଳନଠାରୁ ନିମ୍ନରେ ରହିଛି। ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୬.୨% ଏବଂ ଏହା ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ଜିଡିପି ୬.୭% ଛୁଇଁବ ବୋଲି ଏହା କହିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ୨୦୧୩ ପରଠାରୁ ଏହା ସବୁଠାରୁ ସର୍ବନିମ୍ନର ଅଭିବୃଦ୍ଧି। ଘରୋଇ ଏବଂ ବାହ୍ୟ ଚାହିଦା ହ୍ରାସ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଗତ ମାସରେ ମୁଡିସ ଇନଭେଷ୍ଟର୍ସ ସର୍ଭିସ ମଧ୍ୟ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%ରୁ ୫.୮%କୁ ଖସାଇଛି।

Share