ଅବହେଳିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି

ବ୍ରହ୍ମପୁର ଅଫିସ,୧୪ା୩

ମହାପୁରୁଷଙ୍କୁ ସମ୍ମାନ ଦେବା ଓ ତାଙ୍କର ସ୍ମୃତିକୁ ମନେ ପକାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଥାଏ। କିନ୍ତୁ ବ୍ରହ୍ମପୁର ସହରର କେତେକ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।
ପ୍ରେମ ନଗର ଚତୁର୍ଥ ଗଳି ଛକ ନିକଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅବହେଳିତ ଭାବରେ ରାସ୍ତା କଡ଼ରେ ପଡ଼ି ରହିଛି । ପ୍ରାୟ ୩୫ରୁ ୩୬ ବର୍ଷ ପୂର୍ବେ ଖଡୁରା ସାହି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏହି ମୂର୍ତ୍ତି ସ୍ଥାପନ କରାଯାଇଥିଲା । କିନ୍ତୁ ଫାଇଲିନ୍‌ ସମୟରେ ଉକ୍ତ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିଲା। ଏହା ସହିତ ଡ୍ରେନ ଓ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଦ୍ୟାଳୟକୁ ଅନ୍ୟତ୍ର ଘୁଞ୍ଚା ଯାଇଥିଲା। ଫଳରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇ ରାସ୍ତା କଡ଼ରେ ରଖାଯାଇଥିଲା। ଠିକ୍‌ ସେହି ଦିନଠାରୁ ଏଭଳି ଭାବରେ ପ୍ରତିମୂର୍ତ୍ତିଟି ଅବହେଳିତ ହୋଇ ରହିଛି। ଏଥି ମଧ୍ୟରେ ଡ୍ରେନ ଓ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାମ ସରିଥିଲେ ମଧ୍ୟ ଉକ୍ତ ପ୍ରତିମୂର୍ତ୍ତି ଉପରେ କାହାର ଦୃଷ୍ଟି ପଡୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ପ୍ରତିମୂର୍ତ୍ତିକୁ ବ୍ରହ୍ମପୁର ମହାନଗର ନିଗମ ଶୀଘ୍ର ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବାକୁ ଜନସାଧାରଣ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ, ଉକ୍ତ ସ୍ଥାନ ମଧ୍ୟରୁ ସାଉଥ୍‌କୋକୁ ବିଦ୍ୟୁତ୍‌ ଶୁଳ୍କ ଆଦାୟ ନିମନ୍ତେ କିଛି ସ୍ଥାନର ଆବଶ୍ୟକ ରହିଛି ବୋଲି ସେ ଚିଠି ମାଧ୍ୟମରେ ଆମକୁ ଜଣାଇଛନ୍ତି । ଉକ୍ତ ସ୍ଥାନ ସାଉଥକୋକୁ ହସ୍ତାନ୍ତର କଲାପରେ ବାକି ସ୍ଥାନରେ ଗୋଟିଏ ଛୋଟିଆ ପାର୍କ କରାଯାଇ ସେହି ସ୍ଥାନରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି ।