ଅବହେଳିତ ଆଦିବାସୀପଡ଼ା: ଅଣ୍ଟାଏ ପାଣିରେ ପଶି ଯା’ଆସ କରୁଛନ୍ତି ସିଂପଡ଼ାବାସୀ

ମହାକାଳପଡ଼ା, ୧।୧୦ (ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ବଉଳକଣୀ ପଞ୍ଚାୟତର ଆଦିବାସୀଡ଼ା ସିଂପଡା ଗ୍ରାମକୁ ଯିବାଆସିବା ପାଇଁ ପକ୍କା ରାସ୍ତା ନ ଥିବାରୁ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି। ବର୍ଷ ତମାମ ଗ୍ରାମବାସୀ ଅସୁବିଧା ଭୋଗୁଥିବା ବେଳେ ବର୍ଷାଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଗାଁ ବାହାରକୁ ଯିବାକୁ ହେଲେ ଲୋକଙ୍କୁ ଅଣ୍ଟାଏ ପାଣିରେ ପଶି ମୁଖ୍ୟରାସ୍ତାକୁ ଯିବାକୁ ପଡ଼ୁଛି। ଏହି ଗ୍ରାମରେ ୬୫ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଯା’ଆସ ପାଇଁ ସବୁଦିନିଆ ରାସ୍ତାଟିଏ ନିର୍ମାଣ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାମର ଫଗନ ସିଂ, ରବୀନ୍ଦ୍ର ସିଂ, ନନ୍ଦ ସିଂ, ଚରଣ ସିଂ, ରୁୟା ସିଂ ପ୍ରମୁଖ କହିଛନ୍ତି, ଗ୍ରାମ ରାସ୍ତା ନିର୍ମାଣ ପାଇଁ କେନାଲ ବନ୍ଧଠାରୁ ଲୁଣା ଘେରି ପର୍ଯ୍ୟନ୍ତ ୧.୭ କି.ମି. ରାସ୍ତା ମଧ୍ୟରୁ ୧ କିମି ରାସ୍ତା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛଇ। ମାତ୍ର ଆଉ ୭ଶହ ମିଟର ରାସ୍ତା ଓ ଏକ କଲଭର୍ଟ ନିର୍ମାଣ ପାଇଁ ଆବଶ୍ୟକ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇ ନଥିବାରୁ ରାସ୍ତା କାର୍ଯ୍ୟ ଅଧାରେ ରହିଛି।
ସେହିପରି ନିର୍ବାଚନ ପୂର୍ବରୁ ଏଠାରେ ସିଂପଡ଼ା ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୨ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ମାତ୍ର ଏବେ ବି ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କେବଳ ଏକ ଫଳକରେ ସୀମିତ ରହିଛି। ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଆଦିବାସୀପଡ଼ା ସିଂପଡ଼ା ଗ୍ରାମ ଅବହେଳିତ ହୋଇରହିଛି। ତୁରନ୍ତ ଏହି ପଡ଼ାକୁ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତ। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ମୁଲଲୀଧର ଦାସଙ୍କୁ ପଚାରିବାରେ ଉକ୍ତ ଗ୍ରାମ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।