Categories: ରାୟଗଡା

ଅବଧି ଶେଷ ହେଲାଣି, ସରୁନି ରାସ୍ତା କାର୍ଯ୍ୟ

ପାରଳାଖେମୁଣ୍ଡି, ୩୦।୪ (ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକ କତଲକଇଠାଠାରୁ ସିଧିପାଲମ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏବେ ଅବଧି ସରିବା ପରେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ଲୋକେ ଏହି ରାସ୍ତାରୁ ଉପକୃତ ହୋଇପାରୁନାହାନ୍ତି। କତଲକଇଠା-ସିଧିପାଲମ ମୋଟ ୨.୬୦ କି.ମି. ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମୋଟ ୧୭୩.୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା । କାର୍ଯ୍ୟ ଆରମ୍ଭର ଅବଧି ୪।୩।୨୦୧୬ ଥିଲା। ଏହି କାର୍ଯ୍ୟ  ୩।୨।୨୦୧୭ ରେ ସରିବାକୁ ସ୍ଥିର ହୋଇଥିଲା।  ତେବେ କାର୍ଯ୍ୟ ଶେଷ ହେବାର ସମୟ ଶେଷ ହୋଇ ୨ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଏଠାରେ ଏହି ରାସ୍ତା କାର୍ଯ୍ୟ ଶେଷ ହୋଇପାରିନାହିଁ । ଏହି ରାସ୍ତା କାର୍ଯ୍ୟ ଶେଷ ହୋଇଥିଲେ ଆଖପାଖର  ୫ରୁ ଅଧିକ ଗ୍ରାମର ଗ୍ରାମବାସୀ ଉପକୃତ ହୋଇଥାନ୍ତେ। ଏହି କାର୍ଯ୍ୟ ଦୀର୍ଘ ଦିନ ଧରି ଅଧପନ୍ତରିଆ ଭାବେ ପଡିଥିବାରୁ ଉକ୍ତ ଅଞ୍ଚଳର ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଅଞ୍ଚଳର ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତେହ ପାରଳାଖେମୁଣ୍ଡି ସହର ଉପରେ ନିର୍ଭର କରିଥାନ୍ତି । ରାସ୍ତା କାର୍ଯ୍ୟ ସରୁ ନ ଥିବାରୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ଆସିବା ସମସ୍ୟା ହୋଇଥାଏ। ଏନେଇ  ଅଞ୍ଚଳବାସୀ ପ୍ରଶାସନକୁ  ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଠିକାଦାର ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସଲାସୁତରା ଯୋଗୁ ରାସ୍ତାକାମ ସରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।