ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୩।୫ – ଅନୁଗୋଳର କରଡ଼ାଗାଡ଼ିଆ ଠାରେ ଥିବା ଦେଶୀ ମଦ ଭାଟିକୁ ଲକ୍‌ଡାଉନ୍‌ ପୂର୍ବରୁ ସିଲ୍‌ କରାଯିବା ପରେ ବି ସେଠାରେ ଚୋରା ମଦ କାରବାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ସଦର ଅବକାରୀ ଅଧିକାରୀ ଅରବିନ୍ଦ ରାଉତରାୟଙ୍କୁ ବଇଣ୍ଡାକୁ ବଦଳି କରାଯାଇଛି। ଏଥିସହ ତାଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସରକାର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ସିଲ୍‌ କରାଯାଇଥିବା ଭାଟିଗୁଡ଼ିକର ନିୟମିତ ଯାଞ୍ଚ କରାଯିବା ନିୟମ ରହିଛି। କିନ୍ତୁ କରଡ଼ାଗାଡ଼ିଆ ଭାଟି କ୍ଷେତ୍ରରେ ତାହା ପାଳନ କରାଯାଇ ନ ଥିଲା। ଏପରି କି ସିଲ୍‌ ସମୟରେ କେତେ ପରିମାଣର ମଦ ସେଠାରେ ଗଚ୍ଛିତ ଥିଲା ତାହା ମଧ୍ୟ ରାଉତରାୟ ବିଭାଗକୁ ଅବଗତ କରି ନ ଥିଲେ। ପୋଲିସ ରିପୋର୍ଟ ମୁତାବକ ଭାଟିର ଗୋଟିଏ ଗୃହରେ ତାଲା ପକାଯାଇ ସିଲ୍‌ କରାଯାଇଥିବାବେଳେ ଅନ୍ୟ ୪ଟି କୋଠରିରେ ଚୋରା ମଦ ରନ୍ଧା ଚାଲିଥିଲା। ଏହି ଘଟଣାରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଅବକାରୀ ଏସ୍‌ପିଙ୍କୁ ରିପୋର୍ଟ ମାଗିବା ସହ ସଦର ଅଧିକାରୀ ଦାୟିତ୍ୱରେ ଥିବା ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ତେବେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବକାରୀ ଅଧିକାରୀ ରାଉତରାୟଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କିଛି କହିବାର ନାହିଁ ବୋଲି ସେ ପ୍ରକାଶ କରିଥିଲେ।