ଅପେକ୍ଷାରତ

ତଥାଗତ ସତପଥୀ

ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦର ଚୂଡ଼ାନ୍ତ ରାୟ ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ୨.୭୭ ଏକର ବିଶିଷ୍ଟ ବିବାଦୀୟ ଭୂମିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟରେ କୁହାଯାଇଛି। ଏଥିସହିତ ନିର୍ଦ୍ଦେଶ ଦିଆଯାଇଛି ଯେ, ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରାଯାଉ। ବିଧ୍ୱସ୍ତ ମସ୍‌ଜିଦ ଢାଞ୍ଚା ତଳେ ଏକ ମନ୍ଦିର ଥିବା ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ସର୍ଭେ କରିଛି। ଅନ୍ୟପକ୍ଷରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ଆଇନର ଉଲ୍ଲଂଘନ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ପୀଠ ରାୟ ଦେଇଛନ୍ତି।
ଆଇନଗତ ଦିଗକୁ ତର୍ଜମା କରିଚାଲିଲେ ଅନେକ କିଛି ବିଷୟ ଆଲୋଚନା ପରିସରକୁ ଆସିବ। କିନ୍ତୁ ଆଜିର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଦେଖିଲେ ଅଯୋଧ୍ୟା ପ୍ରସଙ୍ଗକୁ ନେଇ ଭାରତର ଯୁବପିଢ଼ି ଚିନ୍ତିତ ନାହାନ୍ତି। ସେମାନଙ୍କୁ ଏବେ ଯେଉଁ ବିଷୟ ବ୍ୟଥିତ କରିଚାଲିଛି, ତାହା ହେଉଛି ବେକାର ସମସ୍ୟା। କଥାରେ ଅଛି ଭୋକିଲା ପେଟରେ ଧର୍ମଚିନ୍ତା ଆସେ ନାହିଁ। କେବଳ ଇତିହାସକୁ ରୋମନ୍ଥନ କଲେ ବଞ୍ଚିବା କଷ୍ଟକର। ବରଂ ଇତିହାସରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ କିଭଳି ଜୀବନକୁ ବିକାଶୋନ୍ମୁଖୀ କରିହେବ ତାହା ହେବା କଥା ମୁଖ୍ୟ ପ୍ରସଙ୍ଗ। ଏବର ପରିସ୍ଥିତିକୁ ଦେଖିଲେ ସବୁଆଡ଼େ ବିକାଶ ବିଷୟ ଉଲ୍ଲେଖ କରାଯାଉଛି। ମାତ୍ର ବାସ୍ତବତା ଭିନ୍ନ ଚିତ୍ର ଆଙ୍କୁଛି। ଅର୍ଥନୈତିକ ମାନ୍ଦାବସ୍ଥା ବର୍ତ୍ତମାନ ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବ୍ୟକ୍ତି ପାଖରେ ଅର୍ଥ ନ ରହିଲେ ତା’ର ବଜାରଯିବା ବନ୍ଦ। ଏହି ପରିପ୍ରେକ୍ଷୀରେ ଭାରତୀୟ ବଜାର ଅର୍ଥନୀତିକୁ ଦେଖିଲେ ଏହା ଏକ ଉପଭୋକ୍ତା ଦେଶ ଭାବେ ଜଣାଶୁଣା। ଏଠାରେ ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା (ଆଇଟି)ରେ ଉତ୍କର୍ଷଲାଭ କରିଛନ୍ତି ବୋଲି ଡିଣ୍ଡିମ ପିଟା ଯାଉଛି। ପ୍ରକୃତରେ ଦେଖିଲେ ଏ ଦେଶର ଗବେଷକ ଗୁଗଲ୍‌, ଫେସ୍‌ବୁକ୍‌, ଟୁଇଟର ଭଳି ପ୍ରଯୁକ୍ତିବିଦ୍ୟାଭିତ୍ତିକ ଆପ୍ଲିକେଶନ ଦୁନିଆକୁ ଭେଟି ଦେଇପାରି ନାହାନ୍ତି। ଚାଇନା କଥା ଦେଖିଲେ ମେସେଜିଂ ଆପ୍‌ ‘ଓ୍ବିଇଚାଟ୍‌’ ଏବଂ ଗୁଗଲ୍‌ ଭଳି ସର୍ଚ୍ଚଇଞ୍ଜିନ୍‌ ‘ବାଇଡୁ’ ଉଦ୍ଭାବନ କରି ତା’ର ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିପାରିଛି। କେବଳ ଚାଇନା ନୁହେଁ, ପୃଥିବୀର ଖୁବ୍‌ ଛୋଟ ଦେଶ ଯେଉଁ କ୍ଷେତ୍ରରେ ଅଗ୍ରଗତି କରିପାରିଛନ୍ତି ଭାରତ ସେଥିରେ ସାମର୍ଥ୍ୟ ରଖିପାରି ନ ଥିବାର ଦୃଷ୍ଟାନ୍ତ ଖୋଜିଲେ ବାରମ୍ବାର ମିଳୁଛି। ମହାକାଶକୁ ଭାରତ ପଠାଉଥିବା ଅନେକ ରକେଟର ଯନ୍ତ୍ରପାତି ଦେଖିଲେ ବାହାର ଦେଶରୁ ଆମଦାନୀ ହେଉଛି। ସେଗୁଡ଼ିକୁ ଯୋଡ଼ାଯୋଡ଼ି କରି ବାହାବା ନିଆଯାଉଛି। ଏହିଭଳି ଅନେକ କ୍ଷେତ୍ରକୁ ବାଛିବାଛି ଦେଖିଲେ ଏବେ ଭାରତ ବିଶ୍ୱ ସମୁଦାୟ ସମ୍ମୁଖରେ ନୂଆ ଚିନ୍ତାଧାରା ଛାଡ଼ିପାରୁ ନାହିଁ। ପଡ଼ୋଶୀ ଦେଶ ସହ ସୁସମ୍ପର୍କ ନ ଥିବାରୁ ବାଣିଜି୍ୟକ କାରବାର ଆଖିଦୃଶିଆ ହୋଇପାରୁ ନାହିଁ। ବହିର୍ବ୍ୟାପାର ସମ୍ପର୍କ ଦୃଢ଼ୀଭୂତ ହୋଇପାରୁ ନ ଥିବାରୁ ବାଂଲାଦେଶ ଭଳି ବନ୍ଧୁ ରାଷ୍ଟ୍ର ମନ ଊଣା କଲେଣି।
ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ଯୋଗୁ ଅତୀତରେ ଅନେକ ହିଂସାକାଣ୍ଡ ଓ ଦଙ୍ଗା ହୋଇଛି। ଏହି ଭୂମି ପାଇଁ ବହୁ ଲୋକଙ୍କ ଜୀବନ ଯାଇଛି। ହୁଏତ ଭାରତୀୟ ଯୁବପିଢ଼ି ଅନୁଭବ କଲାଣି ଯେ, ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ସାମ୍ପ୍ରଦାୟିକ ବିବାଦରେ ଲିପ୍ତ ରହିଲେ କୌଣସି ସମ୍ପ୍ରଦାୟ ବା ବର୍ଗକୁ ଲାଭ ମିଳିବ ନାହିଁ। ଜନସଂଖ୍ୟା, ଅଶିକ୍ଷା, ଗରିବୀ, ଅନ୍ଧବିଶ୍ୱାସ, ବେକାରି, ଦୁର୍ନୀତି, ଜଳାଭାବ ଓ ପ୍ରଦୂଷଣ ଭଳି ସମସ୍ୟାର ତାଲିକା ପ୍ରସ୍ତୁତ କଲେ ତାହା ଲମ୍ବିଚାଲିବ।
ଆମେ ସମସ୍ତେ ଜାଣୁ ଯେ ପୃଥିବୀ ଇତିହାସରେ ଶାସକମାନେ ସବୁବେଳେ ଧର୍ମ ଆଢ଼ୁଆଳରେ ରହି କୁଶାସନ ବିଛାଇବାକୁ ଚେଷ୍ଟା କରନ୍ତି। ଧର୍ମ ନାମରେ ସାଧାରଣ ନାଗରିକକୁ ଅନ୍ଧ କରିବା ନୂଆ ଚିନ୍ତାଧାରା ନୁହେଁ। ସେହି ଅନ୍ଧ ନାଗରିକ କେବେହେଲେ ବାସ୍ତବ ଚିତ୍ର ଦେଖିବାରେ ସଫଳ ହୁଏନାହିଁ। ସେଥିପାଇଁ ଆଜିର ଉତ୍କଟ ପରିସ୍ଥିତିରେ ଶାନ୍ତି ପ୍ରତିଷ୍ଠା କରିବାକୁ ଯାଇ ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠ ଦେଇଥିବା ନିଷ୍ପତ୍ତିକୁ ଖୁଣି ହେବ ନାହିଁ। ଏହା ଏକ ଭିନ୍ନ ପ୍ରଶ୍ନ ହୋଇପାରେ ଯେ, ଶାନ୍ତି ସ୍ଥାପନର ଦ୍ୱାହି ଦେଇ ‘ଜୋର ଯା’ର ମୁଲକ ତାର’ ଚିନ୍ତାଧାରାକୁ ବଳବତ୍ତର କରାଯାଇଛି। ନ୍ୟାୟ ବ୍ୟବସ୍ଥାରେ ଶାନ୍ତି ପ୍ରତିଷ୍ଠା କରିବାର ଉଦ୍ୟମ ଭାରତୀୟ ବ୍ୟବସ୍ଥାର ବିରାଟବଡ଼ ଦୁର୍ବଳତା ଦର୍ଶାଉଛି। ସତେଯେମିତି ସରକାର ନିଜ ମୁଣ୍ଡରେ ଦାୟିତ୍ୱ ନେବା ପରିବର୍ତ୍ତେ ଅଦାଲତର ୫ ଜଣ ବିଚାରପତିଙ୍କ ଦ୍ୱାରା ନିଜର କର୍ତ୍ତବ୍ୟକୁ ସମ୍ପାଦନ କରୁଛି। ଅବଶ୍ୟ ଏଠାରେ ଅବସର ନେବାକୁ ଯାଉଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରିବାକୁ ପଡ଼ିବ। ଗୋଗୋଇଙ୍କ ନିକଟ ଅତୀତର ପ୍ରାୟ ସବୁ କାର୍ଯ୍ୟ ସାମାଜିକ ସ୍ତରରେ ତୀବ୍ର ସମାଲୋଚନାର ଶିକାର ହୋଇଛି। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟର କାର୍ଯ୍ୟରତା ଜଣେ ଯୁବତୀ ଗୋଗୋଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିବାଠାରୁ ଆରମ୍ଭ କରି ନିଜ ରାଜ୍ୟ ଆସାମରେ ଜୋରଜବରଦସ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କରାଇ ଅନେକ ଲକ୍ଷ ଲୋକଙ୍କୁ ନାଗରିକତ୍ୱରୁ ବିଦା କରିଦେବା ଭଳି ବିବାଦୀୟ କାର୍ଯ୍ୟ ତାଙ୍କ ଭାବମୂର୍ତ୍ତିକୁ ପ୍ରବଳ ଭାବେ ଆଘାତ ପହଞ୍ଚାଇଥିଲା। ଏହି ଗୋଟିଏ ହିନ୍ଦୁତ୍ୱ ସପକ୍ଷବାଦୀ ରାୟ ମାଧ୍ୟମରେ ନିଜର ଭାବମୂର୍ତ୍ତି ଉଦ୍ଧାର କରିପାରିଛନ୍ତି ଗୋଗୋଇ।
ଏବେ ଶାନ୍ତି ପ୍ରତିଷ୍ଠା ହୋଇଛି। ସବୁ ରାଜନୈତିକ ଦଳର ଗୁଣ୍ଡମାନେ ଭବିଷ୍ୟତରେ କ’ଣ କରିବେ, ସେଥିପାଇଁ ନେତାଙ୍କୁ ଅନାଇ ବସିଛନ୍ତି। ଝଡ଼ ପୂର୍ବର ନୀରବତା ଭଳି ଏବେ ସବୁ ପ୍ରଶାନ୍ତ ମନେହେଉଛି। ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ହିନ୍ଦୁ ଓ ମୁସଲମାନ କେହି ବିବାଦୀୟ ଜମି ଉପରେ ନିଜର ମାଲିକାନା ପ୍ରମାଣ କରିପାରି ନାହାନ୍ତି। ସେଥିପାଇଁ କୌଣସି ଧର୍ମ ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଜମି ହସ୍ତାନ୍ତର କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ମନ୍ଦିର ଗଢ଼ିବା ସହିତ ମସ୍‌ଜିଦ ଗଢ଼ିବା ଦାୟିତ୍ୱ କେନ୍ଦ୍ରକୁ ଦିଆଗଲା। ଉଭୟ ମନ୍ଦିର ଓ ମସ୍‌ଜିଦର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ଗଠନ କରିବ କେନ୍ଦ୍ର ସରକାର। ଏହା ନିଶ୍ଚିତଭାବେ ଭାଜପା ପାଇଁ ଏକ ବିରାଟ ବିଜୟ। ମଙ୍ଗ ହରାଇ ବସିଛନ୍ତି ବିରୋଧୀ।
କିନ୍ତୁ ଭାରତ କୁଆଡ଼େ ଯିବ? ଆମ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ଏକବିଂଶ ଶତାବ୍ଦୀରେ ଧର୍ମପୀଠ ଦ୍ୱାରା କେତେ ଯୁବତୀଯୁବକଙ୍କ ପେଟ ପୂରିବ, ତାହା ଦେଖିବାକୁ, ଆମେ ଯଦି ବଞ୍ଚତ୍ଥିବୁ, ଅପେକ୍ଷାରତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri