ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି। ଭୋଜି ଭାତର ଆସର ନ ଥିଲା କି ପୁରୋହିତଙ୍କ ମନ୍ତ୍ରୋଚାରଣ ଶୁଭି ନ ଥିଲା। କୌଣସି ବରଯାତ୍ରୀ ବି ନ ଥିଲେ। ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ବର ଓ କନ୍ୟା ପରସ୍ପର ବେକରେ ପକାଇଥିଲେ ଫୁଲମାଳ। ସିନ୍ଦୂର ପିନ୍ଧାଇ କନ୍ୟା ସହ ସାତଜନମ ପାଇଁ ସାଥୀହୋଇ ରହିବେ ବୋଲି ବର କରିଥିଲେ ଶପଥ। ବିବାହ ସମୟରେ ସାମାଜିକ ଦୂରତ୍ୱକୁ ଦିଆଯାଇଥିଲା ଗୁରୁତ୍ୱ। ଆଉ ମୁହଁରେ ଥିଲା ମାସ୍କ। ୩ପଟେ ଘେରି ରହିଥିଲେ ଗଣମାଧ୍ୟମ ପ୍ରତିନିଧି। ବିବାହ ପରେ ବର ନିଜର ୨ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ପ୍ରଦାନ କରିଥିଲେ। ଉପଜିଲାପାଳ ଲଗ୍ନଜିତ୍‌ ରାଉତ କନ୍ୟାଦାନ କରିଥିବାବେଳେ ବରପିତା ଭାବେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ଦାୟିତ୍ୱ ତୁଲାଇଥିଲେ। ନୂଆଗଁା ବ୍ଲକ ମହୀପୁର ପାଟୁଳିସାହିର ଟୁଟୁ ସାହୁ ଚାହାଳି ପଞ୍ଚାୟତ ରାଇପୁର ଗଁାର ଦୀପାଞ୍ଜଳି ସାହୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କଠାରୁ ଆଶୀର୍ବାଦ ନେଇ ନବଦମ୍ପତି ଘରକୁ ଫେରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ ପାଟୁଳିସାହିର ରାଧା ଚରଣଙ୍କ ସାହୁଙ୍କ ପୁତ୍ର ଟୁଟୁ ନୂଆଗଁା ବାଳିକା ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଟୁଟୁଙ୍କର ବିବାହ ରାଇପୁର ଗଁ।ର କବିରାଜ ସାହୁଙ୍କ ଏକମାତ୍ର ଝିଅ ଦୀପାଞ୍ଜଳିଙ୍କ ସହ ସ୍ଥିର ହୋଇଥିଲା। ତେବେ ପୂର୍ବରୁ ଅନ୍ୟାନ୍ୟ କାରଣ ଓ କରୋନା ଯୋଗୁ ଟୁଟୁଙ୍କର ୩ଥର ବାହାଘର ତାରିଖ ପରିବର୍ତ୍ତନ ହୋଇସାରିଛି। ଏପରିସ୍ଥଳେ ଏପ୍ରିଲ ୨୭ର ବିବାହ ତାରିଖକୁ ଆଉ ବାତିଲ କରିବାକୁ ଚାହୁଁ ନ ଥିଲେ ଟୁଟୁ। ଅନ୍ୟମାନଙ୍କ ପରି ବରଯାତ୍ରୀ, ବାଜା, ବାଣ, ଶୋଭାଯାତ୍ରାରେ ଆସି ବିବାହ କରିବାକୁ ମନ ଥିଲେ ବି କରୋନା କଟକଣାକୁ ସମ୍ମାନ ଜଣାଇ ଆଗେଇ ଆସିଥିଲେ ଟୁଟୁ। ଆଉ ତାଙ୍କର ଏହି ଆଦର୍ଶ କାର୍ଯ୍ୟକୁ ସହମତି ଦେଇଥିଲେ କନ୍ୟା ଘର ପରିବାରର ସଦସ୍ୟମାନେ। ଏପରି କି କନ୍ୟା ମଧ୍ୟ ରାଜି ହୋଇଥିଲେ। ଏ ନେଇ ଟୁଟୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, କରୋନା କଟକଣା ମାନିବା ନିହାତି ଦରକାର। ତେବେ ଘରେ ପହଞ୍ଚିଲେ ବିନା ଗହଳିରେ ବୈଦିକ ରୀତିରେ ବିବାହ ସମ୍ପନ୍ନ କରାଯିବ। କରୋନା ସମୟରେ ବିବାହ ମୋ ଜୀବନରେ ସ୍ମୃତି ହୋଇ ରହିଯିବ। ଦୀପାଞ୍ଜଳି ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଏଭଳି ନିରାଡମ୍ବର ବିବାହ ସ୍ମୃତି ହୋଇ ରହିବ। ଏଥିରେ ସେ ବହୁତ ଖୁସି ବୋଲି କହିଥିଲେ।