ଅପହୃତା ନାବାଳିକାଙ୍କୁ ଉଦ୍ଧାର ପାଇଁ ସୋର ଥାନାରେ ଧାରଣା

ସୋର, ୬ା୩(ଡି.ଏନ୍‌.ଏ.)-ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ ମା’, ବାପା ସମ୍ପର୍କୀୟଙ୍କ ସହ ଥାନା ଆଗରେ ଧାରଣା ଦେଇଥିଲେ। ତୁରନ୍ତ କାଯର୍‌ୟାନୁଷ୍ଠାନ ଗ୍ରହଣ କରି ଝିଅକୁ ଫେରାଇ ଦେବାକୁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଯାଇଛି।
ସୋର ଥାନା ଅଞ୍ଚଳର ଯୁକ୍ତ ୨ରେ ପଢ଼ୁଥିବା ଜଣେ ନାବାଳିକା ଗତ ଫେବୃୟାରୀ ୧୮ତାରିଖରେ କଲେଜରୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏ ସମ୍ପର୍କରେ ୧୯ତାରିଖରେ ସୋର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା (ନଂ. ୫୫/୨୦) ରୁଜୁ କରିଥିଲା। ମାତ୍ର ପୋଲିସ ନାବାଳିକା ଜଣଙ୍କୁ ଆଜି ପର୍ଯ୍ୟନ୍ତ ଉଦ୍ଧାର କରିପାରି ନ ଥିବା ବେଳେ ଅଭିଯୋଗକାରୀଙ୍କୁ ଦିଆଯାଇଥିବା ଏତଲାର ନକଲରେ କେତେକ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ପୋଲିସର ଏହି ଅବହେଳା ନେଇ ଅପହୃତାଙ୍କ ପରିବାର ସହ କେତେକ ସମ୍ପର୍କୀୟ ଓ ଗ୍ରାମବାସୀ ଥାନା ଆଗରେ ଧାରଣାରେ ବସିଥିଲେ। ଏହି ଧାରଣାକୁ ସମର୍ଥନ କରି ଭାଜପା ନେତା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ନାବାଳିକାଙ୍କ ପରିବାରଙ୍କ ସହିତ ସୋର ଥାନା ଆଗରେ ଧାରଣାରେ ବସିଥିଲେ। ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଥାନାରେ ପହଞ୍ଚିଥିଲେ। ଆଇଆଇସି ଶ୍ରୀବଲ୍ଲଭ ସାହୁ ଏବଂ ଏସ୍‌ଡିପିଓ ପାଲ ଧାରଣାକାରୀଙ୍କ ସହିତ ଆଲୋଚନା କରି ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଶୀଘ୍ର ଝିଅକୁ ଫେରାଇ ଆଣିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ଭାଜପା ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ମିରିର ପାଣି, ମହିଳାମୋର୍ଚ୍ଚା ସଭାନେତ୍ରୀ କମଳା ବିନ୍ଧାଣି ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଥିଲେ।