ଅପହୃତା ଝିଅକୁ ଉଦ୍ଧାର ପାଇଁ ଥାନା ଆଗରେ ଧାରଣାରେ ବସିଲେ ମା’, ବାହାର ରାଜ୍ୟକୁ ଚାଲାଣ ଅଭିଯୋଗ ଆଣିଲେ ପରିବାର

ହାଟଡ଼ିହୀ, ୨୭ା୫ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଓରାଳି ପଞ୍ଚାୟତ ମଧୁରଗଡ଼ିଆ ଗ୍ରାମର ଜଣେ ୧୫ ବର୍ଷିୟା ସବର୍ଣ୍ଣ ନାବାଳିକାଙ୍କୁ ସେହି ଗ୍ରାମର କିଛି ଅସବର୍ଣ୍ଣ ବ୍ୟକ୍ତି ଗତ ୨୧ ତାରିଖ ରାତିରେ ଜୋର ଜବରଦସ୍ତ ଘରେ ପଶି ଅପହରଣ କରିନେଇଥିଲେ। ଏ ନେଇ ନାବାଳିକାଙ୍କ ମା’ଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ଥାନା ପୋଲିସ(ନଂ ୪୫/୧୯) ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। ଏ ନେଇ ରବିବାର ରାତିରୁ ନାବାଳିକାଙ୍କ ମା’ ଥାନା ଆଗରେ ଧାରଣା ବସିରହିଛନ୍ତି। ଘଟଣା ଦିନଠାରୁ ଝିଅକୁ ଉଦ୍ଧାର ପାଇଁ ପୋଲିସକୁ କାକୁତିମିନତି ହେଉଥିଲେ ବି ପୋଲିସ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଗତ ରବିବାର ରାତିସାରା ମଧ୍ୟ ସେ ଧାରଣା ଦେଇଥିଲେ। ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।
ଏ ପ୍ରସଙ୍ଗରେ ଥାନା ଅଧିକାରୀ ମାନସ ସ୍ବାଇଁ କହିଛନ୍ତି, ନାବାଳିକାଙ୍କୁ ଉଦ୍ଧାର ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛୁ। ମହିଳାଙ୍କୁ ଘରକୁ ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ ବି ସେ ଘରକୁ ନ ଯାଇ ଏଠାରେ ବସିରହିଛନ୍ତି।