ଅପହରଣ କରି ୩ଲକ୍ଷ ଦାବି, ଅପହର୍ତ୍ତାଙ୍କୁ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୬(ଡି.ଏନ୍‌.ଏ.)- ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ। ପୋଲିସ ଅପହରଣକାରୀଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ଅପହର୍ତ୍ତାଙ୍କୁ ଉଦ୍ଧାର କରିଛି।୧୧ ତାରିଖ ସକାଳେ ପଞ୍ଚଭୂତି ଗ୍ରାମ ବେଗୁନିଆର ଶଙ୍କର ନାଇକ ଉକ୍ତ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କୁ ଫୋନ୍‌ କରି ଏକ ପୁରୁଣା ମାମଲାର ଆପୋଷ ସମାଧାନ ପାଇଁ ଭଞ୍ଜନଗର ଡାକିଥିଲେ। ରମେଶ ପୁଅ ଜଗନ୍ନାଥ ଓ ଗ୍ରାମର ହାଡୁବନ୍ଧୁ ସାହୁଙ୍କ ଧରି ଭଞ୍ଜନଗର ପୁରୁଣା ବସ୍‌ଷ୍ଟାଣ୍ଡରେ ପହଞ୍ଚତ୍ଥିଲେ। ସେଠାରେ ୨ଜଣ ଯୁବକ ଶଙ୍କରର ଲୋକ ବୋଲି କହି କୁଲାଡ଼ ବାଗ୍‌ଦେବି ଗ୍ରାମ ଅଭିମୁଖେ ନେଇଥିଲେ। ବାଟରେ ବାଲିଆପଟା ଜଙ୍ଗଲ ରାସ୍ତାରେ ବାଇକ୍‌ ରଖି ସାଙ୍ଗରେ ଯାଇଥିବା ହାଡୁବନ୍ଧୁଙ୍କୁ ସେଠାରେ ଅପେକ୍ଷା କରିବାକୁ କହି ରମେଶ ଓ ପୁଅ ଜଗନ୍ନାଥଙ୍କୁ ଜଙ୍ଗଲ ଭିତରକୁ ନେଇଥିଲେ। ସେଠାରେ ଶଙ୍କର ଓ ତାଙ୍କ ସାଥୀମାନେ ବାପ-ପୁଅଙ୍କୁ ମାଡ ମାରିଥିଲେ। ପରେ ରମେଶଙ୍କୁ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ଆଣି ବାପାଙ୍କୁ ନେଇଯିବାକୁ ଜଗନ୍ନାଥକୁ କହିଥିଲେ। ଜଗନ୍ନାଥ ଓ ହାଡୁବନ୍ଧୁ ଘରକୁ ଫେରିଥିଲେ। ଟଙ୍କା ପାଇଁ ଜଗନ୍ନାଥଙ୍କ ମା’ ଭାଇମାନଙ୍କୁ ଫୋନ୍‌ କରିଥିଲେ। ସେମାନେ ଏନେଇ ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କୁ ଜଣାଇଥିଲେ। ଏନେଇ ସେ ଭଞ୍ଜନଗର ଏସ୍‌ଡିପିଓଙ୍କୁ ଜଣାଇବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହଯୋଗ ଲୋଡିଥିଲେ। ପରେ ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଟଙ୍କାଦେବାକୁ ଘଟଣାସ୍ଥଳକୁ ଯାଇଥିଲେ। ଟଙ୍କା ଦେବାବେଳେ ପୋଲିସ ଚଢାଉ କରି ବାରୁଡା ଗ୍ରାମର ଆଲୋକ ସାହୁ ଓ ଶିବ ପ୍ରଧାନଙ୍କୁ କାବୁ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଶଙ୍କର ଖସି ପଳାଇଥିଲେ।