ଅପରେଶନ ଗଜେନ୍ଦ୍ର ବାଟବଣା: ନୀଳଗିରି ଛାଡି ଯାଉନାହାନ୍ତି ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୧୮।୬(ଡି.ଏନ.ଏ.)-ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ଆସିବାର ୮ଦିନ ବିତିଗଲାଣି। ଫେରିବାର ନାଁ ଧରୁନାହାନ୍ତି। ହାତୀପଲ ଇଚ୍ଛାନୁସାରେ ଖାଦ୍ୟ ପାଇଁ ଘୂରି ବୁଲୁଥିବା ବେଳେ ବନବିଭାଗ ଆଖିରେ ଧୂଳି ଦେଇ କୁଲଡ଼ିହା ଅଭୟାରଣ୍ୟ ଭିତରକୁ ପଶିଯାଇଥିଲେ। କିନ୍ତୁ କୁଲଡ଼ିହା ଅଭୟାରଣ୍ୟ ଭିତରେ ବେଶୀ ସମୟ ରହି ନ ପାରି ସୋମବାର ସନ୍ଧ୍ୟାରେ ହାତୀପଲ ପୋଡ଼ାଶୁଳର କୁଦୁମଶୁଳ ବେହେରାସାହି ୧୯ନଂ. ରାଜ୍ୟ ରାଜପଥ ଦେଇ ରାତି ୨ଟାରେ କୁଲଡ଼ିହାରୁ ଫେରୁଥିବା ବେଳେ ବ୍ୟାପକ କ୍ଷତି କରିଛନ୍ତି। ତତ୍‌ସହିତ ଜାମୁଡ଼ିହା ପଞ୍ଚାୟତ ସାତରାଣ୍ଡ ଗ୍ରାମର ଚୈତନ୍ୟ ମାଝି (୬୨) ଶୌଚ କରିବା ପାଇଁ ବାହାରକୁ ଉଠିଥିବା ବେଳେ ହାତୀ ସାମ୍ନାରେ ପଡ଼ିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇ ସାମାନ୍ୟ ଆହତ ହୋଇଛନ୍ତି। ଭୋର ସମୟରେ ହାତୀପଲ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ।

ହାତୀ ଘଉଡ଼ାଇବା ନେଇ ନୀଳଗିରି ରେଞ୍ଜର ସୁକୁମାର ଦାସଙ୍କୁ ପଚାରିବାରୁ ହାତୀ ଏକାଠି ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇବା ସମ୍ଭବ ହୋଇପାରୁନାହଁି। ହାତୀ ଏକଜୁଟ୍‌ ହେଲେ ଦିନେ ଦୁଇଦିନ ଭିତରେ ଘଉଡ଼ାଇବା ଆରମ୍ଭ କରିବୁ ବୋଲି କହିଛନ୍ତି।