Categories: ଗଞ୍ଜାମ

ଅପରିଚିତ ଶିଶୁପୁତ୍ରଙ୍କୁ ରଖିବା ନେଇ ଥାନାରେ ଅଭିଯୋଗ

ଗୋପାଳପୁର,୨୩ା୧- ଆୟୁର୍ବେଦିକ କ୍ଲିନିକ୍‌ କରିଥିବା ଜଣେ ଡାକ୍ତର ଏକ ଅପରିଚିତ ଶିଶୁକୁ ସନ୍ଦେହଜନକ ଭାବେ ରଖିଥିବା ନେଇ ଗୋଳନ୍ଥରା ଥାନାରେ ବୁଧବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ସହ ୨ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିହାର ମୁଜାଫରପୁରର ଏକ ଦମ୍ପତି ଭୁବନେଶ୍ୱର ଆସିଥିବାବେଳେ ତାଙ୍କ ୪ବର୍ଷୀୟ ପୁଅ ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେଶନରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଗୋଳନ୍ଥରାରେ ଥିବା ଶିଶୁ ଭୁବନେଶ୍ୱରରୁ ନିଖୋଜ ଶିଶୁ କି ନୁହଁନ୍ତି ସେ ନେଇ ତଦନ୍ତ ପାଇଁ ଖାରବେଳନଗର ଥାନାରୁ ଏକ ଟିମ୍‌ ଗୁରୁବାର ଆସିବେ ବୋଲି ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗୋଳନ୍ଥରା ଥାନା ଦୁମୁଦୁମି ଗ୍ରାମଛକରେ ଜଣେ ବ୍ୟକ୍ତି ଆୟୁର୍ବେଦିକ ଡାକ୍ତର ଫଳକ ଲଗାଇ ଏକ କ୍ଲିନିକ ଖୋଲିଛନ୍ତି। ପ୍ରାୟ ୧୫ ଦିନ ହେବ ସେ ଏକ ଶିଶୁପୁତ୍ର (୪ରୁ ୫ ବର୍ଷ)ଙ୍କୁ କେଉଁଠାରୁ ଆଣି ପାଖରେ ରଖିଥିଲେ। ତାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ଗ୍ରାମର କେତେଜଣ ମହିଳା ଉକ୍ତ ଶିଶୁପୁତ୍ରଙ୍କ ସମ୍ପର୍କରେ ପଚାରିବାରୁ ସେ କିଛି କହୁ ନ ଥିଲେ। ଇତିମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ଏକ ଶିଶୁପୁତ୍ର ନିଖୋଜ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ସନ୍ଦେହ କରି ଦୁମୁଦୁମି ଗ୍ରାମବାସୀ ବୁଧବାର ଉକ୍ତ କ୍ଲିନିକକୁ ଯାଇ ଶିଶୁପୁତ୍ର ସମ୍ପର୍କରେ ପଚାରିଥିଲେ। ସେଠାରେ ରହୁଥିବା ୨ ମହିଳା ଶିଶୁପୁତ୍ରକୁ ଯେଉଁଠାରୁ ଆଣିଥିଲୁ ସେଠାରେ ଛାଡ଼ିଦେଇଛୁ ବୋଲି କହିଥିଲେ। ଗ୍ରାମବାସୀ ସେଠାରେ ହୋ ହଲ୍ଲା କରିଥିଲେ। କିଛିସମୟ ପରେ ଉକ୍ତ କ୍ଲିନିକ୍‌ର ଡାକ୍ତର ପହଞ୍ଚତ୍ଥିଲେ। କୌଣସି ଏକ କାମରେ କନିଷି ତହସିଲଦାର ରାଜ କିଶୋର ଜେନା ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଗ୍ରାମବାସୀ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତହସିଲଦାରଙ୍କୁ କହିଥିଲେ। କ୍ଲିନିକକୁ ଯାଇ ତହସିଲଦାର ଜେନା ଶିଶୁପୁତ୍ର ସମ୍ପର୍କରେ ମହିଳା ଓ ଡ଼ାକ୍ତରଙ୍କୁ ପଚାରି ବୁଝିଥିଲେ। ସେମାନେ ଶିଶୁପୁତ୍ରକୁ ଭୁବନେଶ୍ୱର ରେଳ ଷ୍ଟେଶନରୁ ଆଣିଥିଲୁ ଏବଂ ସେଠାରେ ମଙ୍ଗଳବାର ଛାଡି ଦେଇଛୁ ବୋଲି କହିଥିଳେ। ତହସିଲଦାର ଏନେଇ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଦୁଇ ମହିଳା ଓ ଡ଼ାକ୍ତରଙ୍କୁ ଥାନାରେ ପଚରାଉଚୁରା ଚାଲିଥିବା ଥାନାଧିକାରୀ ବାବୁଲି ନାୟକ କହିଛନ୍ତି। ସନ୍ଧ୍ୟାରେ ଦୁମୁଦୁମି ଗ୍ରାମ ବଣିକ ସଂଘ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛି।