Categories: ଗଞ୍ଜାମ

ଅନ୍‌ଲାଇନ୍‌ରେ ଠକେଇ, ୬୯ ହଜାର ଟଙ୍କା ଗାଏବ

ଗୋପାଳପୁର,୨୬ା୧୦: ଏକ ପାର୍ସଲର ଟ୍ରାକିଙ୍ଗ୍‌ ନମ୍ବର ଜାଣିବାକୁ ଉଦ୍ୟମ କରି ଜଣେ ମହିଳାଙ୍କ ଆକାଉଣ୍ଟରୁ ୬୯ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ନଂ. ୧୨୬/୧୯ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରକାଶ ଯେ, ଉକ୍ତ ଥାନା ଗୋଳାବନ୍ଧର କାଜଲ ସିହ୍ନା ବୁଧବାର ବ୍ରହ୍ମପୁର ଆସି ନିଜ ସମ୍ପର୍କୀୟଙ୍କ ନିକଟକୁ ଡିଟିଡ଼ିସି କୋରିୟରରେ ଏକ ପାର୍ସଲ ପଠାଇଥିଲେ। ଗୁରୁବାର ଉକ୍ତ ପାର୍ସଲର ସ୍ଥାନ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରି ମଧ୍ୟ ଜାଣିପାରିନଥିଲେ। ଇତିମଧ୍ୟରେ ଏକ ଫୋନ ନମ୍ବର ପାଇ କାଜଲ ସେହି ନମ୍ବରରେ ଫୋନ କରିଥିଲେ, ଏବଂ ଟ୍ରାକିଙ୍ଗ ନମ୍ବର ଜଣାପଡୁନାହିଁ ବୋଲି ପଚାରିବାରୁ ସେଠାରୁ ଜଣେ ବ୍ୟକ୍ତି ୫ ଟଙ୍କା ବାନ୍ଧିଲେ ପାର୍ସଲର ଟ୍ରାକ୍‌ ଜଣାପଡ଼ିବ ବୋଲି କହିଥିଲେ। ଏହାପରେ ତାଙ୍କ ଫୋନ ନମ୍ବରକୁ ଏକ ଲିଙ୍କ୍‌ ପଠାଇଥିଲେ। କାଜଲ ଉକ୍ତ ଲିଙ୍କ ନମ୍ବର ଲଗଇନ୍‌ କରି ବ୍ୟାଙ୍କ ଆକାଉଣ୍ଟ ନଂ. ଓ ଏଟିଏମ୍‌ ନଂ. ଏଥିରେ ଅପଲୋଡ଼ କରିଥିଲେ। କିଛି ସମୟ ପରେ କାଜଲଙ୍କ ଆକାଉଣ୍ଟରୁ ହଠାତ୍‌ ୬୯,୦୦୦ ଟଙ୍କା କଟି ଯାଇଥିଲା। ଏ ନେଇ କାଜଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ଚାଲିଛି, ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି ସେହି ଆକାଉଣ୍ଟକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।