କରୋନା ମୁକାବିଲା: ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱ ପାଇଁ ସବୁଠୁ ବ଼ଡ ଆହ୍ବାନ ଭାବେ ଉଭା ହୋଇଛି। ଓଡ଼ିଶାବାସୀ ଏବଂ ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଆମାନେ ମଧ୍ୟ ଏହାଦ୍ୱାରା ବହୁ ଭାବେ ପ୍ରଭାବିତ। ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଢାଇବା ପାଇଁ ସାରା ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ ଚାଲିଛି। ଓଡ଼ିଶାରେ ମଧ୍ୟ ଏହା ଜାରି ରହିଛି। ବାହାରେ ରହୁଥିବା ୮୦,୦୦୦ ଓଡ଼ିଆ ଏବଂ ବିଦେଶରେ ରହୁଥିବା ୪୦୦୦ ଓଡ଼ିଆ ରାଜ୍ୟକୁ ଫେରି ସାରିଛନ୍ତି। ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ପ୍ରଶାସନସ୍ତରରେ ଉଦ୍ୟମ ଆରମ୍ଭ କରିଛି।
ତେଣୁ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କ ଖାଇବା, ରହିବା ଓ ସୁରକ୍ଷା ଉପରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମସ୍ତ ପ୍ରତିପକ୍ଷଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଗୁରୁବାର ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେଠାରେ ଓଡ଼ିଆମାନଙ୍କର ସୁରକ୍ଷା ସହ ଖାଦ୍ୟ ଓ ରହିବା ବ୍ୟବସ୍ଥା କରିବାକୁ ନବୀନ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସଂପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତିି। ଓଡ଼ିଆମାନଙ୍କ ରହିବା, ଖାଇବା ପାଇଁ ଯାହା ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ବହନ କରିବେ। ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅନ୍ୟ ରାଜ୍ୟର ଅଧିବାସୀ ଯେପରି ଅସୁବିଧା ନ ଭୋଗିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଏ ବାବଦରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆରଏଫ୍‌)ରୁ ବହନ କରାଯିବ। ବିଭିନ୍ନ ରାଜ୍ୟ ସହ ସମନ୍ବୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଓ ଆଇଜି ପୋଲିସ ଅପରେଶନ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ଉଭୟ ଅଧିକାରୀଙ୍କ କାର୍ଯ୍ୟାଳୟର ଫୋନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ସଞ୍ଜୀବ ଚୋପ୍ରାଙ୍କ କାର୍ଯ୍ୟାଳୟ ନମ୍ବର, ୦୬୭୪-୨୫୩୧୫୧୫(ଅଫିସ), ୦୬୭୪-୨୫୩୪୪୫୩(ଆବାସିକ), ୯୪୩୯୦୨୭୭୧୧(ମୋବାଇଲ) ଏବଂ ଇମେଲ- homesec.od.nic.in ରହିଛି। ଅନୁରୂପଭାବେ ଅମିତାଭ ଠାକୁରଙ୍କ କାର୍ଯ୍ୟାଳୟ ନମ୍ବର ୦୬୭୪-୨୫୩୩୨୩୦(ଅଫିସ), ୦୬୭୪-୨୫୪୪୦୮୦(ଆବାସିକ), ୯୯୩୮୩୧୦୦୦୦/ ୯୪୩୯୮୧୫୯୮୬(ମୋବାଇଲ) ଏବଂ ଇମେଲ-amitabh_thakur@hotmail.com ରହିଛି।