ଅନ୍ୟ ଆଖିରେ ବଞ୍ଚିବା

ଡ. ସୁବାସ ଚନ୍ଦ୍ର ପାତ୍ର
ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ, କିନ୍ତୁ ଅନ୍ୟର ନୈତିକ ଚକ୍ଷୁରେ ସେ ମୂଲ୍ୟାୟିତ ହୁଏ। ପୃଥିବୀର ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଆତ୍ମଜ୍ଞାନ ମାଧ୍ୟମରେ ଆତ୍ମନିରୀକ୍ଷଣ ଦ୍ୱାରା ଆତ୍ମମୂଲ୍ୟାୟନ କରିପାରନ୍ତି। ସାଧାରଣ ସାମାଜିକ ଜୀବନରେ କିନ୍ତୁ ଆମକୁ ଅନ୍ୟର ସକାରାତ୍ମକ ନଜର ଉପରେ ନିର୍ଭର କରିବାକୁ ପଡ଼େ।
ପାରିବାରିକ ଜୀବନରେ ଅନେକ ପୁତ୍ରକନ୍ୟାଙ୍କର ସଫଳ ଜୀବନର ହେତୁ ବାପା, ମା, ଗୁରୁଜନ ବା ଶିକ୍ଷକଙ୍କ ନଜରକୁ ନେଇ ସେମାନଙ୍କର ସଚେତନତା। ଅର୍ଥାତ୍‌ ପାଠପଢ଼ା, ବୃତ୍ତିଗତ ଅବା କର୍ମମୟ ଜୀବନରେ ସେମାନେ ସଚେତନ ଥାନ୍ତି ସେମାନଙ୍କର କୌଣସି କାମ ‘ଅଙ୍କିତ ଭଗବାନ’ଙ୍କ ନଜରରେ ସେମାନଙ୍କୁ ପତିତ ନ କରୁ। ଜ୍ଞାନର ଗରିମା ପ୍ରକଟିତ ହେଉ ବା ନ ହେଉ ଅନ୍ତତଃ ନୈତିକତା ଦୃଷ୍ଟିରୁ ସେମାନେ ସେମାନଙ୍କର ପ୍ରିୟ ଗୁରୁଜନମାନଙ୍କ ଆଗରେ ମୁଣ୍ଡଟେକି ଚାଲିପାରିବାର ଆତ୍ମବିଶ୍ୱାସ ରଖନ୍ତି। ଏକ ବୃହତ୍ତର ସାଧାରଣ ନୈତିକ ଜୀବନ ପାଇଁ ସନ୍ତାନସନ୍ତତିଙ୍କର ଏହି ସଚେତନତା ଯେତିକି ଜରୁରୀ ସେମାନଙ୍କର ବାପା, ମା’ଙ୍କ ପାଇଁ ଏହା ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ଅନୁରୂପ ଭାବରେ ବାପା, ମା ଅବା ଗୁରୁଜନମାନେ ମଧ୍ୟ ସେମାନଙ୍କ ପିଲାଛୁଆଙ୍କ ନଜରରେ ଗଳି ନ ପଡ଼ିବା ପାଇଁ ସତତ ଚେଷ୍ଟିତ ହେବା ଉଚିତ। ପିଲାଙ୍କ ଦୋଷତ୍ରୁଟି ବୟସ ବିଚାରରେ କ୍ଷମା କରି ଦିଆଯାଇପାରେ, କିନ୍ତୁ ବାପା, ମା’ଙ୍କ ଅନୈତିକ କାର୍ଯ୍ୟ ସେମାନଙ୍କ ପିଲାମାନଙ୍କୁ ଅସହ୍ୟ ମାନସିକ ଯନ୍ତ୍ରଣା ଦେବା ସହ ସେମାନଙ୍କୁ ଯଥେଷ୍ଟ ସାମାଜିକ ଲାଞ୍ଛନାର ଶିକାର କରାଏ। ବଡ଼ ଦୁଃଖ ଲାଗେ ଶୁଣିବାକୁ ଯେତେବେଳେ ସେମାନଙ୍କର ସ୍କୁଲ ବା କଲେଜର ସହପାଠୀ ବା ସହପାଠିନୀ ପଚାରେ, ”ତୋ ବାପା ବା ତୋ ମା’ଙ୍କୁ ପୋଲିସ କାହିଁକି ବାନ୍ଧିନେଲା? ତୋ ବାପା ସିନା ମୁହଁ ଢାଙ୍କିଥିଲେ, ହେଲେ ଟିଭି ସ୍କ୍ରିନ୍‌ରେ ତାଙ୍କର ନାମ ଲେଖାଥିଲା।“ଏ ପ୍ରଶ୍ନ କେତେ ବେଦନାଦାୟକ ସେହି କୋମଳମତି ପିଲାମାନେ ଜାଣୁଥିବେ।
ଖାଲି ସାମାଜିକ ଜୀବନ ନୁହେଁ, ସାରସ୍ବତ ଜୀବନରେ ଏହି ନଜର ସଚେତନତା ଜଣକୁ ଅଧିକ କଳାନିଷ୍ଠ, ସାହିତ୍ୟମନସ୍କ, ଅଧ୍ୟବସାୟୀ କରାଏ। ଲେଖକଙ୍କ ପାଇଁ ପାଠକଙ୍କର ଆଖି ଯେତେବେଳେ ମୂଲ୍ୟବାନ୍‌ ହୋଇପଡ଼େ, ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ ସେ ନିଜକୁ ଅଧିକ ସାଧନାରତ କରେଇ ନିଜର ସୃଷ୍ଟିକୁ ଅଧିକ ଉନ୍ନୀତ କରେଇବାକୁ ଚେଷ୍ଟାକରେ। କୌତୁକର କଥା ଏହି କାଳ୍ପନିକ ମୂଲ୍ୟାୟନକାରୀଙ୍କ ଅଦୃଶ୍ୟ ଉପସ୍ଥିତି ସାହିତ୍ୟ ବା କଳାର ମାନ ବଢ଼ାଏ, ପରମାୟୁ ବଢ଼ାଏ, ବିଶେଷତଃ ସେହି ଲେଖକ ଯେତେବେଳେ ତଥାକଥିତ କଳ୍ପିତ ମୂଲ୍ୟାୟନକାରୀଙ୍କ ମନମନ୍ଦିରର ଆଦର୍ଶ, ଅମର ସାଧକ ହୋଇଥାନ୍ତି। ବେଳେବେଳେ ଏହାର ଅତିରଞ୍ଜିତ ରୂପ ମଧ୍ୟ ଦେଖିବାକୁ ମିଳିପାରେ ଯାହା ଘଟୁଥିଲା ଇଂଲିଶ ପ୍ରଫେସର ସର୍ବେଶ୍ୱର ଦାସଙ୍କ କ୍ଷେତ୍ରରେ। ଜଣେ ଅତିମାତ୍ରାରେ ବିଦ୍ୱାନ କିମ୍ବଦନ୍ତୀ ଶିକ୍ଷକ ହୋଇ ମଧ୍ୟ, ଯାହାଙ୍କର ଅଧିକାଂଶ ଉଚ୍ଚାରଣ ଥିଲା ପ୍ରେରଣାପ୍ରସୂତ, ନିଜର ଅନେକ କବିତା ଜଣେ ଦୁଇ ଜଣଙ୍କୁ ପଢ଼େଇ ଶେଷରେ ଚିରି ଦେଉଥିଲେ ଏହି କଥା କହି ଯେ ସେ ସବୁର ଗୁଣାତ୍ମକତା ଅଥବା ମୌଳିକତା ବିଷୟରେ ସେ ନିଶ୍ଚିନ୍ତ ନୁହନ୍ତି!
ସାମାଜିକ ତଥା ସାରସ୍ବତ ଜୀବନରେ ଅନ୍ୟର ନଜର ସଚେତନତା ସବୁବେଳେ ଭୀତିପ୍ରଦ ନୁହେଁ ଅବା ମଣିଷକୁ ସଙ୍କୁଚିତ କରିଦିଏ ନାହିଁ ବରଂ ସ୍ଥଳ ବିଶେଷରେ ଏହା ପ୍ରେରଣାର କାମ କରେ। ଆତ୍ମୀୟସ୍ବଜନ ବା ପରସ୍ପରର ପରିଚିତ ସାରସ୍ବତ ବନ୍ଧୁମାନଙ୍କ ପାଇଁ ଏହା ପାରସ୍ପରିକ ପ୍ରଗତିର କାରଣ ମଧ୍ୟ ହୋଇଥାଏ, ଯାହା ଘଟିଥିଲା ମନୋଜ ଦାସ ଓ କବି ବ୍ରଜନାଥ ରଥଙ୍କ ସାରସ୍ବତ ବନ୍ଧୁତ୍ୱ କ୍ଷେତ୍ରରେ, ବିଶେଷତଃ ସେମାନଙ୍କର ପ୍ରାରମ୍ଭିକ ଜୀବନରେ।
ସଫଳ କଳା ପରି ସଫଳ ପ୍ରେମ ମଧ୍ୟ ଆବଶ୍ୟକ କରେ ଅନୁପସ୍ଥିତି ଭିତରେ ଉପସ୍ଥିତିର ଅନୁଭବ। ପ୍ରେମିକ, ପ୍ରେମିକା ହୁଅନ୍ତୁ ଅବା ସ୍ବାମୀ, ସ୍ତ୍ରୀ- ଉଭୟେ ଚାହାନ୍ତି ପରସ୍ପରର ନଜରରେ ଅଧିକ ଉଚ୍ଚା ଦେଖାଯିବା। ପ୍ରତିଷ୍ଠିତ ପରିବାର ଅପେକ୍ଷା ସାଧାରଣ ପରିବାରରେ ସୁଖମୟ ଦାମ୍ପତ୍ୟ ଜୀବନର କାରଣ ହୋଇଥାଏ ପରସ୍ପରର ‘ଆଖି’ ପ୍ରତି ଗୁରୁତ୍ୱ। ଏକ ବେପରୁଆ ବା ହେୟ ମନୋଭାବ ଯୋଗୁ ମଣିଷ ଯେତେବେଳେ ତା’ ସାଥୀର ଅପେକ୍ଷମାଣ ଆଖିକୁ ନଜରଅନ୍ଦାଜ କରେ, ସେତେବେଳେ ଏହି ବିଶ୍ୱାସର ଜୀବନ ଭାଙ୍ଗିଯାଏ। ତେଣୁ ପ୍ରେମଜୀବନ କିମ୍ବା ଦାମ୍ପତ୍ୟଜୀବନରେ ଉପସ୍ଥିତ ଆଖି ଅପେକ୍ଷା ଅନୁପସ୍ଥିତ ଆଖି ବେଶି ଶକ୍ତିଶାଳୀ।
ସମୟକ୍ରମେ, ବୟସକ୍ରମେ ପରିବାର, ସମାଜର ସାମୂହିକ ଆଖି ଭଗବାନଙ୍କ ଆଖିର ରୂପ ନିଏ। ଏକ ନୈତିକ, ନୈଷ୍ଠିକ ଜୀବନଯାପନ କାଳରେ ମଣିଷ ଅନୁଭବ କରେ ଏକ ଚକାଡୋଳାର ଉପସ୍ଥିତି। ସେ ଚକାଆଖି ନିରୀକ୍ଷଣର ଅବା କ୍ଷମାର ଅବା କରୁଣାର ହୋଇପାରେ। କିନ୍ତୁ ସେହି ସଚେତନତା ହିଁ ମଣିଷ ପାଇଁ, ସମାଜ ପାଇଁ ଯଥେଷ୍ଟ। ସେ ଆଖି ଈଶ୍ୱରଙ୍କର ହେଉ ବା ପ୍ରକୃତିର, ନିଜ ପ୍ରିୟଜନଙ୍କର ଅବା ମହାପୁରୁଷଙ୍କ ହେଉ, ସେ ଆଖି କାଳକ୍ରମେ ନିଜର ବିବେକରେ ରୂପାନ୍ତରିତ ହୁଏ ଏବଂ ମଣିଷର ପଥପ୍ରଦର୍ଶକ ସାଜେ। ସେହି ପ୍ରକାର ଏକ ଆଦର୍ଶମୟ ଅବସ୍ଥାରେ ପୋଲିସ, ଭିଜିଲାନ୍ସ, ପ୍ରଚଳିତ ଆଇନ, କୋର୍ଟ କଚେରି, ଜେଲଖାନା ଅବାନ୍ତର ହୋଇପଡ଼େ। ତେବେ ପ୍ରଶ୍ନ ଉଠିପାରେ ମଣିଷର ଜଣା ପ୍ରକୃତି ଏବଂ ଦୈନନ୍ଦିନ ଜୀବନରେ ତା’ର ପ୍ରତିଫଳିତ ବ୍ୟବହାର ଦୃଷ୍ଟିରୁ ଏହା କେତେଦୂର ବାସ୍ତବ? ଆଦର୍ଶ ଓ ବାସ୍ତବତା ମଧ୍ୟରେ ସବୁବେଳେ ବ୍ୟବଧାନ ରହେ। ଆଦର୍ଶ ଏକ ସମ୍ଭାବନା, ଏକ ପରିକଳ୍ପନା। ହୁଏତ ଅଣୁସ୍ତରରେ, ବ୍ୟକ୍ତିଗତ ସ୍ତରରେ ଏ ପ୍ରକାର ଆଦର୍ଶର ରୂପାୟନ ସମ୍ଭବ ଯାହା କିଛି ମାତ୍ରାରେ ସାମାଜିକ ଜୀବନକୁ ପ୍ରଭାବିତ କରିପାରେ।
ଭଗବାନ ଅଛନ୍ତି କି ନାହାନ୍ତି ଜଣାନାହିଁ। ତାଙ୍କର ଆଖି ଅଛି କି ନାହିଁ, ତାହା ବି ଜଣାନାହିଁ। ତେବେ ନିଜର ପ୍ରିୟଜନ, ଗୁରୁଜନ, କଳ୍ପିତ ଆଧ୍ୟାତ୍ମିକ ମଣିଷର ଆଖିକୁ ଭଗବାନଙ୍କର ଆଖି ଭାବି କାମ କଲେ ସାଧାରଣ ଜୀବନ ନୈତିକ ଜୀବନରେ ରୂପାନ୍ତରିତ ହୋଇପାରିବ।
ପୂର୍ବତନ କଲେଜ ଅଧ୍ୟକ୍ଷ, ଜେଲରୋଡ୍‌, ବାଲେଶ୍ୱର, ମୋ-୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri