ଅନ୍ଧାରରେ ରୋଗୀ, ପ୍ରତିକାର ନାହିଁ

ଚମ୍ପୁଆ,୩ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡିଜି ଓ ଇନ୍‌ଭର୍ଟର ଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌ ସମୟରେ ରୋଗୀମାନେ ଅନ୍ଧାରରେ ରହୁଛନ୍ତି। ଅସହ୍ୟ ଗରମ ସହିବାକୁ ପଡୁଛି। ବିଭିନ୍ନ ସମୟରେ ଲୋ- ଭୋଲଟେଜ୍‌ ସମସ୍ୟା ଯୋଗୁ ୱାର୍ଡଗୁଡିକରେ ବଲ୍‌ବ ଜଳୁଥିଲେ ମଧ୍ୟ ଫ୍ୟାନ ଘୂରୁ ନାହିଁ। ଏହା ରୋଗୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଉଛି। ସ୍ବତନ୍ତ୍ର ସେବା ପାଇବା ଲାଗି ଦେୟ ପୈଠକରି କ୍ୟାବିନରେ ରହୁଥିବା ରୋଗୀ ମଧ୍ୟ ଅନ୍ଧାର ଓ ଗରମରେ ଶଢୁଛନ୍ତି। ଉଲ୍ଳେଖନୀୟ ଯେ, ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଚମ୍ପୁଆ ଡାକ୍ତରଖାନାକୁ କେତେକ ସାଧାରଣ ଓ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ଯୋଗାଇ ଦିଆଯାଇଛି। ସାଧାରଣ କ୍ୟାବିନ୍‌ରେ ରହୁଥିବା ରୋଗୀଙ୍କଠାରୁ ଦିନକୁ ୧୫୦ ଓ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ଲାଗି ୩୦୦ ଟଙ୍କା ଲେଖାଏ ଆଦାୟ କରାଯାଉଛି। କେତେକ କ୍ୟାବିନକୁ ଇନ୍‌ଭର୍ଟର ବା ଡିଜି ସଂଯୋଗ ହୋଇ ନ ଥିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଲେ ଏହା ଅନ୍ଧାରରେ ରହୁଛି। କ୍ୟାବିନ୍‌ରେ ରହୁଥିବା ପ୍ରସୂତି ଓ ନବଜାତ ଶିଶୁ ଗରମରେ କଷ୍ଟ ପାଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ରହୁନାହିଁ ା ଉଲ୍ଲେଖନୀୟ ଯେ, ଡାକ୍ତରଖାନାରେ ୧ ଘଣ୍ଟା ଡିଜି ଚାଲିଲେ ୭ ଲିଟର ଇନ୍ଧନ ଆବଶ୍ୟକ ପଡୁଛି । ଇନ୍ଧନ ପାଇଁ ଅର୍ଥ ବ୍ୟବସ୍ଥା ନ ଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁ ନାହିଁ ା ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଜିତ୍‌ କୁମାର ଲେଙ୍କାଙ୍କୁ ପଚାରିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ଇନ୍‌ଭର୍ଟର ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି କହିଛନ୍ତି।