ଅନ୍ଧାରରେ ଅଧା ସହର

ଅନୁଗୋଳ ଅଫିସ,୧୦।୯

ଚୁକ୍ତି ନବୀକରଣ ହୋଇ ନ ଥିବାରୁ ପୌରପାଳିକାରେ କାର୍ଯ୍ୟ କରୁଥିବା ୨୨ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆଉ ଅଫିସ ଆସୁନାହାନ୍ତି। ଫଳରେ ପୌରସଂସ୍ଥାରେ କର୍ମଚାରୀ ଅଭାବ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ପୌରପାଳିକାର ବିଭିନ୍ନ କାର୍ଯ୍ୟ ଉପରେ ପଡ଼ୁଛି। କେଉଁଠି ଅଳିଆ ଲୋଡ୍‌ ହୋଇଥିଲେ ବି ଚାଳକ ନ ଥିବାରୁ ଟ୍ରାକ୍ଟର ଗଡ଼ିପାରୁନି ତ ଆଉ କେଉଁଠି ଜଳୁ ନ ଥିବା ଲାଇଟ୍‌ ମରାମତି ହୋଇପାରୁ ନାହିଁ। ଫଳରେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଜମି ରହିଥିବା ବେଳେ ଅଧା ସହର ରାତିରେ ଅନ୍ଧକାର ରହୁଥିବା ସହରବାସୀ ଅଭିଯୋଗ କରୁଛନ୍ତି।
ସହରବାସୀଙ୍କ କହିବା ଅନୁଯାୟୀ, ଅଫିସ ଆସୁ ନ ଥିବା ଠିକା କର୍ମଚାରୀମାନେ ଇଞ୍ଜିନିୟରିଂ, ସୁରକ୍ଷା, ବିଦ୍ୟୁତ୍‌ ବିଭାଗ ସହ ମ୍ୟୁଜିକ ଶିକ୍ଷକ, ଟଲି ଓ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ଅଭାବ ଏବେ ପୌରପାଳିକାରେ ଅନୁଭବ ହେଉଛି। କାରଣ ଏସବୁ କାର୍ଯ୍ୟ କରିବାକୁ ପୌରସଂସ୍ଥା ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି। ତେଣୁ ସହରରେ ସମସ୍ତ ସୁବିଧା ଥିଲେ ମଧ୍ୟ ସେଗୁଡ଼ିକ ଅକାମି ହୋଇପଡ଼ିଛି। ଏପରି କି ପୌର କାର୍ଯ୍ୟାଳୟ ସହ ଟାଉନ ହଲ, କଳାକେନ୍ଦ୍ର ଓ କଲ୍ୟାଣ ମଣ୍ଡପକୁ ରାତିରେ ସୁରକ୍ଷା କିଏ ଦେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ତିନି ଦିନ ତଳେ ଟାଉନ ହଲର କାଚକୁ କେହି ଦୁର୍ବୃତ୍ତ ଟେକା ମାରି ଭାଙ୍ଗି ଦେଇଥିବା ସୂଚନା ମିଳିଛି। କାଳେ ଏହି ଘଟଣା ଜଣାପଡ଼ିଯିବ ସେଥିପାଇଁ ତାହାକୁ ତୁରନ୍ତ ହଟାଇଦିଆଯାଇଛି। ହେମସୁରପଡ଼ା, ମେଡିକାଲ ଛକରୁ ମାଛ ମାର୍କେଟ, ତାମ୍ରିତ କଲୋନୀ, ବିଜୁ ମଇଦାନ ରାସ୍ତା, ସୁସୁଡ଼ା ରୋଡ ଆଦିରେ ଥିବା ଲାଇଟ୍‌ ରାତିରେ ଜଳୁନାହିଁ। ସେହିପରି ଟଲି ଓ ଟ୍ରାକ୍ଟର ଚାଳକ ନ ଥିବାରୁ ଅଳିଆ ବୋଝେଇ ଗାଡ଼ିଗୁଡ଼ିକ କଳାକେନ୍ଦ୍ର ଠାରେ ଠିଆହୋଇ ରହିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ପୌରପାଳିକା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ର କହିଛନ୍ତି, ସମ୍ପୃକ୍ତ ଠିକା କର୍ମଚାରୀଙ୍କ ଚୁକ୍ତି ନବୀକରଣ ନେଇ ଫାଇଲ ଜିଲାପାଳଙ୍କ ନିକଟକୁ ଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଶାସନ ଗ୍ରହଣ କରିବ।