Categories: ଅନୁଗୋଳ

ଅନ୍ତୁଳିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ଶିକ୍ଷକ:ପ୍ରଶାସନକୁ ୭ ଦିନ ସମୟ ଦେଲେ ଗ୍ରାମବାସୀ

ଅନୁଗୋଳ ଅଫିସ, ୯।୭

ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନ୍ତୁଳିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନାହାନ୍ତି। ଏ ନେଇ ବହୁବାର ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରି ନାହିଁ। ସୋମବାର ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍କୁଲରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ଶିକ୍ଷାଦାନ ପାଇଁ ରହିଛନ୍ତି ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ। ଏଠାରେ ଥିବା କେତେଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେମାନେ ଅନ୍ତୁଳିଆ ବିଦ୍ୟାଳୟରୁ ଦରମା ନେଉଥିବାବେଳେ ଅନ୍ୟ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଶିକ୍ଷକ ନିଯୁକ୍ତି କରା ନ ଗଲେ ପିଲାମାନଙ୍କୁ ପାଠ ପଢ଼ିବାକୁ ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ପ୍ରଶାସନକୁ ଜଣାଇ ଦେଇଛନ୍ତି। ଏ ନେଇ ଗ୍ରାମବାସୀ ସୋମବାର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ବିଜୟ ଦେହୁରୀ, ସତ୍ୟାନନ୍ଦ ମୁଦୁଲି, ରୁନୁ ଦେହେରୀ, ଚନ୍ଦନ ମଲ୍ଲିକ, ଗୋବିନ୍ଦ ବେହେରା, ଲିଜାରାଣୀ ବେହେରା, ରଞ୍ଜନ କୁମାର ଦାଶ, ସନ୍ତୋଷ ଦେହୁରୀ, ସବିତା ସ୍ବାଇଁ, ସୁମନ୍ତ ଗଡ଼ନାୟକ, ବିଶ୍ୱନାଥ ଗଡ଼ନାୟକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯିବ। ଏ ନେଇ ପ୍ରକ୍ରିୟା ଜାରି ରହିଛି। ତେଣୁ ଗ୍ରାମବାସୀ ଧୈର୍ଯ୍ୟ ଧରନ୍ତୁ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।