Posted inଖେଳ

ଅନ୍ତିମ ଟି୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ, ୨।୨(ପି.ଟି.)- ଟି୨୦ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଏବେ ୫-୦ରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ରବିବାର ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ପ୍ରୟାସ କରିବ। ଆସନ୍ତା ୫ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। କ୍ଲିନ୍‌ ସୁଇପ୍‌ କରି ଭାରତ ପୂରା ଆତ୍ମବିଶ୍ୱାସ ସହ ଦିନିକିଆ ସିରିଜ ଖେଳିବା ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
ପୂର୍ବରୁ ଘରୋଇ ପରିବେଶ୍‌ରେ ନ୍ୟୁଜିଲାଣ୍ଡ କେବେ ୩ କିମ୍ବା ଅଧିକ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜରେ ସବୁ ମ୍ୟାଚ୍‌ରେ ପରାସ୍ତ ହୋଇନାହିଁ। ଅନ୍ତିମ ମ୍ୟାଚ୍‌ରେ ପରାସ୍ତ ହେଲେ ନ୍ୟୁଜିଲାଣ୍ଡ ଏହି ଅଲୋଡ଼ା ରେକର୍ଡର ଅଧିକାରୀ ହେବ। ୨୦୦୫ ପରଠାରୁ ନ୍ୟୁଜିଲାଣ୍ଡ ଥରେ ମାତ୍ର ଟି୨୦ ସିରିଜର ସବୁ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ୨୦୦୮ ଫେବୃୟାରୀରେ ନ୍ୟୁଜିଲାଣ୍ଡ ଘରୋଇ ସିରିଜରେ ଇଂଲଣ୍ଡଠାରୁ ୨-୦ରେ ପରାସ୍ତ ହୋଇଥିଲା। ୫-୦ରେ ସିରିଜ ହାତେଇଲେ ଭାରତ ପାଇଁ ଏକ ବିଶେଷ ଉପଲବ୍ଧି ସାବ୍ୟସ୍ତ ହେବ। ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। କ୍ଲିନ୍‌ ସୁଇପ୍‌ କଲେ ଭାରତ ର଼୍ୟାଙ୍କିଙ୍ଗ୍‌ରେ ଅଗ୍ରଗତି କରିବ। ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ଭାରତ ଉପରେ ରହିଛନ୍ତି।
ଆଗକୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ପରୀକ୍ଷା ନିରୀକ୍ଷା ଜାରି ରଖିବ ବୋଲି ଆଶା କରାଯାଉଛି। ଚତୁର୍ଥ ଟି୨୦ରେ ଏହି ଏକ୍ସପେରିମେଣ୍ଟ କାମ ଦେଇନି। ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସାମସନ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଯାଇ ସଫଳ ହୋଇପାରିନାହାନ୍ତି। ସାମସନ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ସହ ବଡ଼ ସ୍କୋର ହାସଲ କରନ୍ତୁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା କରୁଛି। ତେଣୁ ତାଙ୍କୁ ମ୍ୟାନେଜମେଣ୍ଟ ପୁଣି ସୁଯୋଗ ଦେଇପାରେ। ସେହିପରି ଦୁବେଙ୍କ ଫୁଟ୍‌ଓ୍ବାର୍କରେ ମଧ୍ୟ ଦୁର୍ବଳତା ରହିଛି। ଉଭୟ ଦ୍ରୁତ ବୋଲର ଓ ସ୍ପିନରଙ୍କ ବିପକ୍ଷରେ ତାଙ୍କର ଫୁଟ୍‌ଓ୍ବାର୍କ ଆଶାନୁରୂପ ହୋଇପାରି ନାହିଁ। ଅନ୍ୟପଟେ ମନୀଷ ପାଣ୍ଡେ ୬ ନମ୍ବରରେ ତାଙ୍କ ସ୍ଥାନ ଦୃଢ଼ କରିବାରେ ସଫଳ ହୋଇଛନ୍ତି। ଏଥର ଶ୍ରେୟାସ ଆୟାରଙ୍କୁ ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇପାରେ। ତେବେ କିପର- ବ୍ୟାଟ୍ସମ୍ୟାନ ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରୁ ଲୋକେଶ ରାହୁଲ ଉଇକେଟକିପର- ବ୍ୟାଟ୍ସମ୍ୟାନ ଭୂମିକାରେ ଅବତୀର୍ଣ୍ଣ ହୋଇ ଆସିଛନ୍ତି। ତେଣୁ ତାଙ୍କର କାର୍ଯ୍ୟଭାର ବଢିଛି। ସେ ଆଗାମୀ ଦିନିକିଆ ସିରିଜରେ ମଧ୍ୟ କିପିଂ କରିବେ ବୋଲି ବିରାଟ କୋହଲି ପରୋକ୍ଷରେ ସ୍ପଷ୍ଟ କରିଛନ୍ତି। ରାହୁଲ ଏବେ ଟପ୍‌ ଫର୍ମରେ ରହିଛନ୍ତି। ତାଙ୍କୁ ବିଶ୍ରାମ ଆବଶ୍ୟକ ହେଉଥିବା କଥା ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଛି। ତେଣୁ ରାହୁଲଙ୍କ ବଦଳରେ ରିଷଭ ପନ୍ତଙ୍କୁ ଖେଳିବାର ସୁଯୋଗ ମିଳିପାରେ। ୨୦୧୯- ୨୦୨୦ ସିଜନରେ ଭାରତ ତା’ର ଶେଷ ଟି୨୦ ମ୍ୟାଚ୍‌ ଖେଳିବାକୁ ଯାଉଛି। ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଯିବ। ଭାରତ ଏବେ ପରବର୍ତ୍ତୀ ଟି୨୦ ସିରିଜ ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଗ୍ରୀଷ୍ମରେ ଖେଳିବ। ସିରିଜ ଜିତିସାରିଥିବାରୁ ଏହି ମ୍ୟାଚ୍‌କୁ ଭାରତ ଆଦୌ ହାଲ୍‌କା ଭାବେ ନେବନାହିଁ।
ମୁମ୍ବାଇରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପନ୍ତଙ୍କ ହେଲ୍‌ମେଟ୍‌ରେ ବଲ୍‌ ବାଜିଥିଲା ଓ ସେ ଆହତ ହୋଇ ଦଳରୁ ବାଦ୍‌ ପଡିଥିଲେ। ଯେତେବେଳେ ସେ ପୂରା ସୁସ୍ଥ ହେଲେ ତାଙ୍କ ସ୍ଥାନ ଦଳରେ ଅସୁରକ୍ଷିତ ହୋଇଗଲା। ଚତୁର୍ଥ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ମ୍ୟାଚ୍‌ରେ କୋହଲି ବିଶ୍ରାମ ନେଇପାରନ୍ତି ଓ ରୋହିତଙ୍କୁ ନେତୃତ୍ୱର ସୁଯୋଗ ଦେଇପାରନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇପାରେ ଓ ୩ ଦ୍ରୁତ ବୋଲର ସିଦ୍ଧାନ୍ତ ଅନୁସାରେ ମହମ୍ମଦ ସାମି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ ବାମ୍‌ କାନ୍ଧରେ ଆଘାତ ପାଇଥିଲେ ଓ ସେ ଗତ ମ୍ୟାଚ୍‌ ଖେଳି ନ ଥିଲେ। ଏବେ ସେ ଫିଟ୍‌ ହୋଇ ଖେଳିବା ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରୁଥିଲେ ମଧ୍ୟ ମ୍ୟାଚ୍‌ ଫିନିଶ୍‌ କରିବାରେ ବିଫଳ ହୋଇଛି। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଏ ନେଇ ଚିନ୍ତିତ ରହିଛି। ଜିତିବା ପରିସ୍ଥିତିରେ ଥିଲେ ମଧ୍ୟ ଗତ ଦୁଇଟି ମୁକାବିଲାରେ ଶେଷ ଦୁଇ ଓଭରରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ହାତଛଡ଼ା କରିଥିଲା। ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ଜିତିବା ସହ ଦିନିକିଆ ସିରିଜ ପୂର୍ବରୁ ଆତ୍ମବିଶ୍ୱାସ ଉଚ୍ଚ କରିବା ଲକ୍ଷ୍ୟରେ ରହିଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ (ଉଇକେଟ କିପର), ମନୀଷ ପାଣ୍ଡେ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୂଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ସ୍କଟ କୁଗେଲେଜିନ, କଲିନ ମୁନରୋ, ଟମ୍‌ ବ୍ରୁସ୍‌, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍‌ ସିଫର୍ଟ (ଉଇକେଟକିପର), ହାମିଶ ବେନେଟ, ଇଶ୍‌ ସୋଧି, ଟିମ୍‌ ସୌଦି ଓ ବ୍ଲେୟାର ଟିକନର।
ସମୟ: ୧୨. ୩୦
ସ୍ଥାନ: ମାଉଣ୍ଟ ମାଉଁଗାନୁଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri