ଅନୁସୂଚିତ ଜନଜାତିଙ୍କ ଜମିରେ ନିର୍ମାଣ ମାମଲା: କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୬ା୧୧- ରାଉରକେଲା ହାମିରପୁର ଅଞ୍ଚଳର ସୁବୋଧ କୁଲୁଙ୍କ ଜମି ଉପରେ ରାଉରକେଲା ମ୍ୟୁନିସିପାଲିଟିର ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ରାଜ୍ୟ ସରକାରଙ୍କ ସହ ସୁନ୍ଦରଗଡ଼ ଜିଲାପାଳ, ସୁନ୍ଦରଗଡ଼ ଏଡିଏମ୍‌, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ସେଲ୍‌)ର ମୁଖ୍ୟ ନିର୍ବାହୀ ଅଧିକାରୀ, ସୁନ୍ଦରଗଡ଼ ସବ୍‌ କଲେକ୍ଟର, ଉଦ୍ଦିତ ନଗର ତହସିଲ୍‌ଦାର, ଅନୁସୂଚିତ ଜନଜାତି ଜାତୀୟ ଆୟୁଙ୍କ ଅଧ୍ୟକ୍ଷଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ହାମିରପୁର ଅଞ୍ଚଳରେ ସୁବୋଧଙ୍କ ଘର ଜମି ରହିଛି। ୧୯୫୬ରେ ସରକାର ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଏହି ଜମିକୁ ଅଧିଗ୍ରହଣ କରିଥିଲେ। ତେବେ ସୁବୋଧ ଏହି ଜମିରେ ବାସ କରି ଆସୁଥିବାବେଳେ ଆଜିପର୍ଯ୍ୟନ୍ତ ଷ୍ଟିଲ୍‌ପ୍ଲାଣ୍ଟ ଏହି ଜମିକୁ ବ୍ୟବହାର କରି ନ ଥିଲା। ଜମି ଅଧିଗ୍ରହଣ ନିୟମ ୨୦୧୩ ଅନୁଯାୟୀ, ଯଦି କୌଣସି ଅଧିଗୃହୀତ ଜମି ୫ବର୍ଷ ପର୍ଯ୍ୟନ୍ତ ବ୍ୟବହୃତ ନ ହୁଏ ତେବେ ତାହା ସମ୍ପୃକ୍ତ ଜମି ମାଲିକଙ୍କ ଖାତାକୁ ଫେରିଯିବ। ତେବେ ଦୀର୍ଘ ୬୩ ବର୍ଷ ହେବ ଅବ୍ୟବହୃତ ହୋଇ ରହିଥିବା ଉକ୍ତ ଜମିକୁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ତ୍ତୃପକ୍ଷ ରାଉରକେଲା ମ୍ୟୁନିସିପାଲିଟିକୁ ଏକ ହେଲ୍‌ଥ ସେଣ୍ଟର ନିର୍ମାଣ କରିବା ପାଇଁ ଦେଇ ଦେଇଥିଲେ। ଏହି ଜମି ମଧ୍ୟ ରାଉରକେଲା ମ୍ୟୁନିସପାଲିଟି ଅଧୀନ ନ ଥିବାବେଳେ ନିକଟରେ ମ୍ୟୁନିସିପାଲିଟି ପକ୍ଷରୁ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକୁ ବେଆଇନ ଦର୍ଶାଇ ସୁବୋଧ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଡବ୍ଲ୍ୟୁପି(ସି) ୨୨୫୪୨ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଆବଦେନକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ନାମତୋଆର ଏହି ମାମଲା ପରିଚାଳନା କରୁଛନ୍ତି।