Categories: ଜାତୀୟ

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଏସ୍‌ଏଫ ଉକ୍ତ ସୀମାନ୍ତକୁ ଏହାର ସମସ୍ତ ବରିଷ୍ଠ ପଦାଧିକାରୀଙ୍କ ସମେତ ହଜାର ହଜାର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରେରଣ କରିଛି। ‘ସୁଦର୍ଶନ’ ସାଙ୍କେତିକ ନାମରେ ଏହି ଅଭିଯାନ ଜୁଲାଇ ୧ରୁ ଆରମ୍ଭ ହୋଇଛି। ୧୦୦୦ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାରେଖାର ଏହି ଅଭିଯାନ ଚାଲିବ। ସେଥିରୁ ଜମ୍ମୁରେ ୪୮୫ କିଲୋମିଟର ଏବଂ ପଞ୍ଜାବରେ ୫୫୩ କିଲୋମିଟର ଅନ୍ତର୍ଜାତୀୟ ସୀମାରେଖା ରହିଛି। ପରେ ରାଜସ୍ଥାନ ଓ ଗୁଜରାଟ ଅନ୍ତର୍ଗତ ସୀମାନ୍ତରେ ମଧ୍ୟ ଅପରେଶନ ଆରମ୍ଭ ହେବ।
ସୀମାନ୍ତକୁ ବିପୁଳ ପରିମାଣର ଭାରି ଯୁଦ୍ଧୋପକରଣ ସାଙ୍ଗକୁ ଯୋଗାଯୋଗ ଇଣ୍ଟରସେପ୍ଟର, ମୋବାଇଲ ବୁଲେଟ୍‌ପ୍ରୁଫ୍‌ ବଙ୍କର ପଠାଯାଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି। ଫ୍ରଣ୍ଟିୟର ଏବଂ ବାଟାଲିୟନ କମାଣ୍ଡର (ଇନ୍ସପେକ୍ଟର ଜେନେରାଲଙ୍କଠାରୁ କମାଣ୍ଡାଣ୍ଟ ପାହ୍ୟା ପର୍ଯ୍ୟନ୍ତ), ୪୦ଟି ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ଓ କମ୍ପାନୀ (ୟୁନିଟ୍‌) କମାଣ୍ଡରମାନଙ୍କୁ ସୀମାକୁ ପଠାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅଭିଯାନ ଶେଷ କରି ୧୫ ସୁଦ୍ଧା ବେସ୍‌ କ୍ୟାମ୍ପ୍‌କୁ ଫେରିଆସିବାକୁ ସେମାନଙ୍କୁ କୁହାଯାଇଛି।
ସୀମାରେ ଭାରତର ପ୍ରତିରକ୍ଷା ସ୍ଥିତିକୁ ସୁଦୃଢ଼ କରିବା ଲାଗି ବହୁସ୍ତରୀୟ ପାଟ୍ରୋଲିଂ କରାଯାଉଛି। ଆତଙ୍କବାଦୀ ଓ ନିଶା ଚୋରାବେପାରୀ ଅନୁପ୍ରବେଶ କରୁଥିବା ସ୍ଥାନଗୁଡିକୁ ସିଲ୍‌ କରାଯିବା ସହ ପାକିସ୍ତାନ ପଟୁ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଦେବା ଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ଶତ୍ରୁମାନଙ୍କୁ ସଂହାର କରି ନିଜର ପୂର୍ବ ସ୍ଥାନକୁ ଫେରିଆସୁଥିଲା। ସେହି ଅନୁଯାୟୀ ଉକ୍ତ ଅଭିଯାନର ନାଁ ‘ସୁଦର୍ଶନ’ ରଖାଯାଇଛି। ଓ୍ବାଚ୍‌ ଟାଓ୍ବାର, ସେଣ୍ଟ୍ରି ପୋଷ୍ଟଗୁଡିକୁ ଉନ୍ନତ କରିବା ସହ ଅସ୍ତ୍ରଶସ୍ତ୍ର ସ୍ଥିତି ବଢ଼ଇବା, ତାରବାଡ଼ଗୁଡିକର ମରାମତି କରିବା ସହ ଭୂତଳ ଓ ସୀମାପାର ସୁଡ଼ଙ୍ଗଗୁଡିକୁ ଠାବ କରିବା ଲାଗି କୁହାଯାଇଛି। ସମ୍ବେଦନଶୀଳ ତଥା ଅନୁପ୍ରବେଶ ପ୍ରବଣ ସୀମାରେ ସୁରକ୍ଷା ବଢ଼ାଇବା ସହ ଉକ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share