Categories: ଅନୁଗୋଳ

ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହାକୁ ଉଦ୍‌ଘାଟନ କରିବା ପରେ ସହରରେ ସିସିଟିଭି ଜରିଆରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ ଫୁଲ୍‌ ଦମ୍‌ରେ ଆରମ୍ଭ ହେବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ମଙ୍ଗଳବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଥାନା ଛକକୁ ଜିରୋ ଟଲରେନ୍ସ ଜୋନ୍‌ କରାଯିବା ସହ ସାଧାରଣ ଲୋକଙ୍କ ସୂଚନା ପାଇଁ ଛକରେ ଏକ ପୋଲିସ ଡିଜିଟାଲ ସୂଚନା ବୋର୍ଡ ଲାଗଯିବ। ଗାଡ଼ି ଚାଳକମାନେ ଜେବ୍ରା କ୍ରସିଂ ପାର କଲେ କଟକ ଓ ଭୁବନେଶ୍ୱରରେ ଥିବା ବ୍ୟବସ୍ଥା ଭଳି ଜରିମାନା ଗଣିବାକୁ ପଡ଼ିବ। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ହେଉ କି ଦୁର୍ଘଟଣା, ୧୦ ମିନିଟ୍‌ ମଧ୍ୟରେ ପୋଲିସ ସେଠାରେ ପହଞ୍ଚତ୍ବ। ଏ ନେଇ ହାଇୱେ ପାଟ୍ରୋଲିଂ ଗାଡ଼ି ଓ ପିସିଆର୍‌ ଭ୍ୟାନରେ ଜିପିଆର୍‌ଏସ୍‌ ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏହା ଲଗିବା ପରେ କଣ୍ଟ୍ରୋଲ ରୁମ୍‌ରୁ ସିଧାସଳଖ ଘଟଣାସ୍ଥଳର ନିକଟରେ ଥିବା ପୋଲିସ ଭ୍ୟାନକୁ ଖବର ଦିଆଯାଇ ପାରିବ। ଫଳରେ ପୋଲିସ ତୁରନ୍ତ ପହଞ୍ଚତ୍ ତାର କାର୍ଯ୍ୟ ଆରମ୍ଭ କରିପାରିବ। ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ କ୍ୟାମେରା ଜରିଆରେ ନଜର ରଖାଯିବ। ସହରର ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ସମୂହ ଓ ଘରୋଇ ବ୍ୟକ୍ତି ଲଗାଇଥିବା କ୍ୟାମେରା ଏଥିରେ ସଂଯୋଗ କରାଯିବ। ଏ ନେଇ ଆଲୋଚନା ଶେଷ ହୋଇଛି। ସହରରେ ଏହି ଆଧୁନିକ ବ୍ୟବସ୍ଥା ପାଇଁ ଜିଲା ଖଣିଜ ପାଣ୍ଠିରୁ ୧ କୋଟି ୫୩ ଲକ୍ଷ ଟଙ୍କା ଓ ଗ୍ଲୋବାଲ କୋଲ ୱାସେରୀର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଥାନା ଛକ, ରାଜ ହୋଟେଲ ଛକ, ହୁଲୁରିସିଂହା, ହରିମହୁରୀ, ସେଣ୍ଟ୍ରାଲ ଲଜ, ଗାନ୍ଧୀଛକ, ହେମସୁରପଡ଼ା ଓ ବଜାର ଛକରେ ୩୮ଟି କ୍ୟାମେରା ଲଗାଯାଇଛି। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ନିକଟକୁ ଚାଲାଣ ପ୍ରେରଣ କରାଯିବ। ଫେସିଆଲ୍‌ ସପ୍ଟୱେରରେ ୫ଶହ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସମ୍ପୃକ୍ତ ଅପରାଧୀମାନଙ୍କୁ କ୍ୟାମେରା ଚିହ୍ନଟ କରିବା ମାତ୍ରେ କଣ୍ଟ୍ରୋଲ ରୁମ୍‌ରେ ଆଲାରମ୍‌ ବାଜିବ। ଅନୁଗୋଳରେ କାର୍ଯ୍ୟ ସରିବା ପରେ ବଅଁରପାଳ ଓ ନାଲ୍‌କୋରେ ମଧ୍ୟ ସିସିଟିଭି ଖଞ୍ଜାଯିବ। ଏହାର ଲିଙ୍କ୍‌ ଜିଲା ପୋଲିସ ମୁଖ୍ୟାଳୟ ସହ ରହିବ। ପରବର୍ତ୍ତୀ ସମୟରେ ତାଳଚେର ଓ କଣିହଁାରେ ଶହେ ସିସିଟିଭି ଲଗାଯିବ। ଏହାର ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ତାଳଚେର ଅତିରିକ୍ତ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଖୋଲଯିବ। ଆସନ୍ତା ୨୦ ବର୍ଷକୁ ଲକ୍ଷ୍ୟ ରଖି ଏହି କାର୍ଯ୍ୟ କରାଯାଉଥିବା ଏସ୍‌ପି ମହାପାତ୍ର କହିଛନ୍ତି। ଅନୁଗୋଳ ସହରର ୮ ସ୍ଥାନରେ ସିସିଟିଭି ସହ ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ଜରୁରୀ ସୂଚନା ପ୍ରଦାନ କରାଯାଇପାରିବ। ଏହି ଖବରଦାତା ସମ୍ମିଳନୀରେ ଆଡିସିନାଲ ଏସ୍‌ପି ଯଦୁନାଥ ହାଁସଦା, ତାଳଚେର ଆଡିସିନାଲ ଏସ୍‌ପି ସନ୍ତୋଷ ମିଶ୍ର, ଡିଏସ୍‌ପି ସୌରଭ ଓତା ପ୍ରମୁଖ ଉପସ୍ଥିତ ଥିଲେ।