Categories: ରାଜ୍ୟ

ଅନୁଗୋଳ ମେଡିକାଲରେ ପୁଣି ଉତ୍ତେଜନା: ବ୍ୟବଚ୍ଛେଦ ପୂର୍ବରୁ ଗୋଟିଏ ଆଖି ଗାଏବ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରୁ ପୁଣି ଗାଏବ ହୋଇଛି ଆଖି। ମଙ୍ଗଳବାର ସକାଳେ ଏପରି ଏକ ଅଭିଯୋଗକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ଆଡିଶନାଲ ଏସ୍‌ପି ଯଦୁନାଥ ହାଂସଦା, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲକ୍ଷ୍ମୀ ନାରାୟଣ ବିଷୋୟୀ ଓ ଉପଜିଲାପାଳ ବାସୁଦେବ ଶତପଥୀ ପହଞ୍ଚି ବୁଝାଶୁଝା କରିଥିଲେ। ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୩୦ ହଜାର ଟଙ୍କାର ସହାୟତା ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଉତ୍ତେଜନା ଥମିଥିଲା।
ଅଭିଯୋଗ ଅନୁଯାୟୀ, ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମର ଜମ୍ବେଶ୍ୱର ନାଏକ(୩୨) ଓ ବିଭୂତି ଭୂଷଣ ଅନୁଗୋଳ ସହରରୁ ଫେରୁଥିବା ବେଳେ ଏକ ପିକ୍‌ଅପ୍‌ ନଂ. (ଓଆର୧୯ଡି-୬୨୬୧) ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜମ୍ବେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ବିଭୂତି ଗୁରୁତର ହୋଇଥିଲେ। ୧୦୮ ଆମ୍ବୁଲାନ୍ସରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ ବିଭୂତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ଜମ୍ବେଶ୍ୱରଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ମଙ୍ଗଳବାର ସକାଳ ୮ଟା ବେଳେ ଜମ୍ବେଶ୍ୱରଙ୍କ ପରିବାର ବର୍ଗ ମେଡିକାଲରେ ପହଞ୍ଚିଥିଲେ। ପଞ୍ଚନାମା ପାଇଁ ପୋଲିସ ମୃତଦେହ ବାହାରକୁ କାଢ଼ିବା ପରେ ତାଙ୍କ ଡାହାଣ ଆଖି ଗାଏବ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଖବରପାଇ ଭାଜପା ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ବିପ୍ଳବ ଜେନାଙ୍କ ସହ ଉଭୟ ଦଳର ବହୁ କର୍ମୀ ଓ ଜନସାଧାରଣ ମେଡିକାଲରେ ପହଞ୍ଚି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଥିଲେ। ଅନୁଗୋଳ ଥାନା ଅଧିକାରୀ, ଆଡିଶନାଲ ଏସ୍‌ପି, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ି ନ ଥିଲା। ପରେ ଉପଜିଲାପାଳ ବାସୁଦେବ ଶତପଥୀ ପହଞ୍ଚତ୍ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଏଥିସହ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା, ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଅନ୍ତିମ ସଂସ୍କାର ପାଇଁ ପ୍ରଦାନ କରାଯିବା ସହ ଆମ୍ବୁଲାନ୍ସରେ ମୃତଦେହ ତାଙ୍କ ଘରକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମେଡିକାଲରେ ନିର୍ମାଣ ହୋଇଥିବା ନୂତନ ଶବ ସଂରକ୍ଷଣଗୃହ କାର୍ଯ୍ୟକ୍ଷମ କରାଯିବ ବୋଲି ଏଡିଏମ୍‌ଓ ମେଡିକାଲ ବିଶୋଇ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟ ମଧ୍ୟରେ ଯଦି ରାତିରେ ମୃତଦେହ ଆସେ ତା’ହେଲେ ତୁରନ୍ତ ବ୍ୟବଚ୍ଛେଦ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ଏଥିସହ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଉପଜିଲାପାଳ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶବ ସଂରକ୍ଷଣ ଗୃହରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଉତ୍ତେଜନା ଥମିଥିଲା।