ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୭।୭: ଅନୁଗୋଳ ସହର ଉପକଣ୍ଠରେ ଗତ ଜାନୁୟାରୀ ୨୦ରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଅନୁଗୋଳର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ପୋକ୍ସୋ ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ଅନାମ ଓରଫ ଶ୍ରୀନିବାସ ଦେହୁରୀ(୨୨)ଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇ ଥିବା ସ୍ପେଶାଲ ପି.ପି. ସରୋଜ କୁମାର ପଟ୍ଟନାୟକ କହିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଜାନୁୟାରୀ ୨୦ରେ ନାବାଳିକା ବାପାଙ୍କ ଦୋକାନକୁ ଖାଇବା ନେଇ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ପଥରରେ ଆକ୍ରମଣ କରି ହତ୍ୟା ପରେ ବଳାତ୍କାର କରିଥିଲେ। ଏହାପରେ ଅନାମ କଲିକତା ପଳାଇ ଯାଇଥିଲେ। ନାବାଳିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଜାନୁୟାରୀ ୨୩ରେ କଲିକତାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫେବୃୟାରୀ ୧୯ରେ ପୋଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନୁଗୋଳ ଓକିଲ ସଂଘ ପକ୍ଷରୁ କୌଣସି ଓକିଲ ଅଭିଯୁକ୍ତଙ୍କ ମାମଲା ପରିଚାଳନା କରି ନ ଥିଲେ। ଫଳରେ ସରକାରୀ ଓକିଲ ଭାବେ ରଜତ ରଞ୍ଜନ ଦାସ ଅନାମଙ୍କ ପାଇଁ ଲଢ଼ୁଥିଲେ। ମାର୍ଚ୍ଚ ୧୯ରେ କୋର୍ଟରେ ଟ୍ରାଏଲ ଆରମ୍ଭ ହୋଇଥିଲା ବେଳେ ୪ମାସ ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ପୋକ୍ସୋ ଆଇନରେ ଏହି ଦଣ୍ଡାଦେଶ ଅନୁଗୋଳ ଜିଲାରେ ପ୍ରଥମ ବୋଲି କୁହାଯାଉଛି। ରାୟ ପ୍ରକାଶ ପରେ ତୁରନ୍ତ ସ୍ପେଶାଲ ମେସେଞ୍ଜରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ଏହାର ନକଲ ସହ ଅନ୍ୟ ଦସ୍ତାବିଜ ପଠାଯାଇଛି। ଏହି ଫାଶୀ ଦଣ୍ଡାଦେଶ ଠିକ୍‌ ଅଛି କି ନାହିଁ ତାହା ହାଇକୋର୍ଟ ତର୍ଜମା ପରେ ଫାଶୀ ତାରିଖ ଧାର୍ଯ୍ୟ କରିବେ ବୋଲି ପଟ୍ଟନାୟକ କହିଛନ୍ତି।