ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତି ବୈଠକ: ୧୨ ମଣ୍ଡପରେ ଦୁର୍ଗା, ୨୯ ମଣ୍ଡପରେ ଲକ୍ଷ୍ମୀ ପୂଜା

ଅନୁଗୋଳ ଅଫିସ, ୧୩।୯-ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତିର ଏକ ବୈଠକ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦୁର୍ଗାପୂଜା ଓ ମା’ ଲକ୍ଷ୍ମୀଙ୍କ ପୂଜା ଆୟୋଜନ ଉପରେ ଆଲୋଚନା ହୋଇଥିଲା। ଅକ୍ଟୋବର ୪ରେ ସହରର ୧୨ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ସେହିପରି ୧୩ ତାରିଖରେ ୨୯ଟି ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏହି ଅବସରରେ କର୍ମକର୍ତ୍ତା ମଧ୍ୟ ଚୟନ କରାଯିବା ସହ ପୂର୍ବ ବର୍ଷର ଆୟବ୍ୟୟ ହିସାବ କରାଯାଇଥିଲା।
କେନ୍ଦ୍ରୀୟ ପୂଜା ସମିତି ସଭାପତି ଅକ୍ଷୟ କୁମାର ସାମନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ପୂର୍ବ ପଦବୀରେ କର୍ମକର୍ତ୍ତାମାନେ ରହି କାର୍ଯ୍ୟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ କିଛି ସଦସ୍ୟ ସମିତିର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସମିତି ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ସହ ସହରର ସମସ୍ୟା ନେଇ ସକ୍ରିୟ ହେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଗତବର୍ଷ ପୂଜାରେ ୭୦ ହଜାର ଟଙ୍କା ଆଦାୟ ହୋଇଥିବାବେଳେ ୭୦ ହଜାର ୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ଚଳିତବର୍ଷ ସବୁ ପୂଜା କମିଟି ସମୟ ସୀମା ମଧ୍ୟରେ କେନ୍ଦ୍ରୀୟ ପୂଜା ସମିତି ନିକଟରେ ଅର୍ଥ ଦାଖଲ କରିବାକୁ କୁହାଯାଇଥିଲା। ଅକ୍ଟୋବର ୪ ତାରିଖରେ ଦୁର୍ଗାପୂଜା ଆରମ୍ଭ ହେଉଥିବାବେଳେ ୯ ତାରିଖରେ ଭସାଣି କରାଯିବ। ୧୩ ତାରିଖରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୨୩ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସଭାପତିଙ୍କ ସହ ସାଧାରଣ ସମ୍ପାଦକ ଦିଲୀପ କୁମାର ପ୍ରଧାନ, ଉପସଭାପତି କିଶୋର କୁମାର କର, ପଦ୍ମଲୋଚନ ସାହୁ, ସତ୍ୟାନନ୍ଦ ଦଳବେହେରା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସମ୍ପାଦକ ରତିକାନ୍ତ ଦାସ, ଅଶୋକ ଅଗ୍ରୱାଲ, ଲକ୍ଷ୍ମୀ ପ୍ରମୁଖଙ୍କ ସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।