ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଧର୍ମଗୁରୁ

ଅନୁଗୋଳ ଅଫିସ୍‌/ତାଳଚେର, ୩ା୪ – ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ଠାରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁଙ୍କ ମଧ୍ୟରୁ ୫ଜଣ ମହିଳା ଓ ପୁରୁଷ ନିକଟରେ ଅନୁଗୋଳ ଆସିଥିବା ଜଣାପଡିଛି। ସେମାନେ ଜିଲାର ବିଭିନ୍ନ ଅଞ୍ଚଳକୁ ଯାଇ କେତେଜଣଙ୍କ ଘରେ ରହିବା ସହ ସ୍ଥାନୀୟ ମସଜିଦ୍‌କୁ ମଧ୍ୟ ଯାଇଥିଲେ। ଏ ନେଇ ତନାଘନା ପରେ ସନ୍ଦେହରେ ଜିଲାର ମୋଟ୍‌ ୩୧ ଜଣଙ୍କୁ ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାପାଳ କହିଛନ୍ତି ଯେ, ସମ୍ପୃକ୍ତ ଧର୍ମଗୁରୁମାନେ ଗତ ମାର୍ଚ୍ଚ ୧୫ରେ ଅନୁଗୋଳ ଆସିବା ସହ ୨୦ ତାରିଖରେ ଜିଲା ବାହାରକୁ ଯାଇଥିଲେ। ସହର ଉପକଣ୍ଠ ବିଭିନ୍ନ ସ୍ଥାନ ସହ ନାଲ୍‌କୋ ଅଞ୍ଚଳ ଓ ତାଳଚେର ମଧ୍ୟ ଯାଇଥିଲେ। ତେଣୁ ସହର ଉପକଣ୍ଠର ୧୨ଜଣଙ୍କ ସହ ନାଲ୍‌କୋ ଅଞ୍ଚଳରୁ ୧୧ ଓ ତାଳଚେରରୁ ୮ଜଣଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ଏହାକୁ ନେଇ ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ। ଅନୁଗୋଳ ପୋଲିସ କହିଛି, ଧର୍ମଗୁରୁମାନେ ପଶ୍ଚିମବଙ୍ଗରୁ ଆସି ଜିଲାର ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। କାଳେ ସେମାନେ ଦିଲ୍ଲୀରୁ ସିଧାସଳଖ ଅନୁଗୋଳ ଆସି ଧର୍ମ ଚର୍ଚ୍ଚା କରିଥିବେ ସେ ନେଇ ଜିଲା ପ୍ରଶାସନ ଆଶଙ୍କା କରି ଲୋକମାନଙ୍କୁ କ୍ବାରାଣ୍ଟାଇନ୍‌ କରିଛି। ଅନୁଗୋଳ ତହସିଲଦାର ନେହେରୁ ମାଝି, ପୌରପରିଷଦ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଅନୁଗୋଳ ଥାନା ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା, ଅରକ୍ଷିତ ସେଠୀ ପ୍ରମୁଖ ସମ୍ପୃକ୍ତ ଲୋକମାନଙ୍କୁ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ଆଣିଥିବା ପୋଲିସ ପ୍ରକାଶ କରିଛି।