ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ ଅବହେଳିତ। ବିଗତ ଦିନରେ ଏହାର ବହୁ ଉଦାହରଣ ସାମ୍ନାକୁ ଆସିଥିବା ବେଳେ ଖୋଦ୍‌ ବ୍ଲକ ଅଧ୍ୟକ୍ଷଙ୍କ ଗ୍ରାମରେ ଜଣେ ଆଦିବାସୀ ନାବାଳକ ମା’ ବାପାଙ୍କୁ ହରାଇବା ପରେ ପାଠ ପଢାରେ ଡୋରି ବନ୍ଧାହୋଇଛି ା ଘଟଣାନୁଯାୟୀ ତେଲକୋଇ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ମୁଣ୍ଡା ସାହି (ଡ୍ୟାମ୍‌ ସାହି)ରେ ୪ଜଣ ପୁଅ ଝିଅ ତେବେ ଅନ୍ୟ ଭାଇ ଭଉଣୀ ମାନେ ବିବାହ କରିସାରିଥିବା ବେଳେ ସାନ ଭାଇ ତ୍ରିଲୋଚନ ମୁଣ୍ଡା(୧୩) ଜୀବନରେ ଏକାକୀ ହୋଇପଡିଛନ୍ତି। ଅର୍ଥାଭାବରେ ପଡି ସପ୍ତମ ଶ୍ରେଣୀରୁ ପାଠ ଛାଡିବାକୁ ବାଧ୍ୟ ହୋଇଛନ୍ତି ତ୍ରିଲୋଚନ। ଏହା ସହିତ ସେ ଏବେ ନିଜ ରହିବା ପାଇଁ ନିଜେ ମାଟି ଚକଟି ନିଜ କୋମଳ ହାତରେ ଏକ ଛୋଟ ନୁଆଁଣିଆ ମାଟି ଘର ତିଆରି କରୁଥିବାର ଦେଖିବାକୁ ମିଳିଛି ା ପାଠ ପଢା ଛାଡିବା ବିଷୟରେ ପଚାରିବାରୁ କୋହଭରା କଣ୍ଠରେ ସେ କହିଥିଲେ ଯେ ପାଠ ପଢିବାକୁ ବହୁତ ମନ ଥିଲେ କଣ ହେବ ମୋ ପାଖରେ ପଇସା ନାହିଁ। ମା’ବାପାଙ୍କ ରାଶନ କାର୍ଡରେ ମିଳୁଥିବା ଚାଉଳକୁ ଭରସା କରିଛି କିନ୍ତୁ ରାଶନ କାର୍ଡଟି ହଜିଯାଇଥିବାରୁ ଆଗକୁ କିପରି ବଞ୍ଚିବି ବୋଲି ଅଶଙ୍କାରେ ଥିବା ତ୍ରିଲୋଚନ କହିଛନ୍ତି। ରାଶନ କାର୍ଡ ବାବଦରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଆସନ୍ତା ସପ୍ତାହରେ ତାଙ୍କୁ ଦେଖା କଲେ ଏହାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ତୁରନ୍ତ ତାଙ୍କ ପାଖକୁ ଯାଇ ଆବଶ୍ୟକ ସହାୟତା ଦିଆଯିବ ।