ଅନାଥାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ବିଦ୍ୟାର୍ଥୀ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ରମାନେ ଅନାଥ ଆଶ୍ରମ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଛନ୍ତି। ବୁଧବାର ଡୁମ୍‌ଡୁମାସ୍ଥିତ ଆଶ୍ରୟ ଅନାଥାଶ୍ରମ ଯାଇ ପିଲାମାନେ ସେଠାରେ ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କରିଥିଲେ। ସେମାନଙ୍କୁ ନିଜ ହାତରେ ଖାଦ୍ୟ ପରସି ଖାଇବାକୁ ଦେଇଥିଲେ। ଶିକ୍ଷାର ଗୁରୁତ୍ୱ ସେମାନଙ୍କୁ ବୁଝାଇଥିଲେ। ଫଳରେ ଅନାଥଶ୍ରମରେ ପିଲାଙ୍କ ଜୀବନଶୈଳୀ, ଖାଦ୍ୟପେୟ, ଦୈନନ୍ଦିନ କାର୍ଯ୍ୟଧାରା କ’ଣ ଥାଏ, ସାଇ ସ୍କୁଲର ପିଲାମାନେ ଜାଣିବାକୁ ପାଇଥିଲେ। ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଜୟ ବିହାର ପଟ୍ଟନାୟକ କହିଥିଲେ ଯେ, ପ୍ରତିଦିନ ସେମାନଙ୍କ ଖାଦ୍ୟ ରୁଟିନ୍‌ ବୋର୍ଡରେ ଦେଖିବା ପରେ ମୋତେ ବହୁତ ଖରାପ ଲାଗିଲା। ତେଣୁ ପ୍ରତିବର୍ଷ ମୋ ଜନ୍ମ ଦିନ ଏଠାରେ ପାଳନ କରିବି ବୋଲି ଜୟ କହିଥିଲେ।