ଅଧ୍ୟାପିକାଙ୍କୁ ବଳାତ୍କାର, ଅପହରଣ ମାମଲା: ଥାନା ଆଗରେ ଧାରଣା ଦେଲେ ଗିରଫ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ମା’

ଭୁବନେଶ୍ୱର, ୧୪।୧(ବ୍ୟୁରୋ): ଅଧ୍ୟାପିକାଙ୍କୁ ବଳାତ୍କାର ଓ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଅପହରଣ କରି ଟଙ୍କା ଲୁଟିବା ଘଟଣାରେ ପୋଲିସ ବ୍ୟାଙ୍କ୍‌ ମ୍ୟାନେଜର ସମେତ ୪ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କ୍‌ ମ୍ୟାନେଜର ସୁନୀଲଙ୍କ ବିରୋଧରେ ପୋଲିସ କେସ୍‌ ନଂ.୨୧/୨୦ରେ ବଳାତ୍କାର, ବ୍ଲାକ୍‌ମେଲିଂ ଦଫା ଲଗାଇଥିବାବେଳେ ୩ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବ୍ଲାକମେଲିଂ ଓ ଟଙ୍କା ଲୁଟିନେବା ଦଫା ଲଗାଇ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଏଥିସହ ଅଧ୍ୟାପିକାଙ୍କୁ ସିଆର୍‌ପିସି ୪୧ରେ ନୋଟିସ ଦେଇ ଛାଡିଛି। ତେବେ ସମ୍ପୃକ୍ତ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଗିରଫ ହେବାପରେ ତାଙ୍କ ମା’ ଏବଂ ସମ୍ପର୍କୀୟ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆରେ ଜରିଆରେ ମୋ ପୁଅକୁ ସେ ଝିଅ ଫସାଇଦେଇଛନ୍ତି। ଯଦି ପୁଅକୁ ବାନ୍ଧିଲ ତେବେ ଝିଅକୁ କାହିଁକି ଛାଡିଦେଲ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଟିଣ୍ଡର ଆପ୍‌ ମାଧ୍ୟମରେ ଅଧ୍ୟାପିକା ଓ ବ୍ୟାଙ୍କ୍‌ ମ୍ୟାନେଜର ଦୁହେଁ ପରିଚିତ ହୋଇଥିଲେ। ପରେ ଫୋନ୍‌ରେ କଥାବାର୍ତ୍ତା ହୋଇ ସମ୍ପର୍କ ଆଗକୁ ବଢ଼ାଇଥିଲେ। ଦୁହେଁ ନିକଟତର ହେବା ପରେ ଉଭୟ ଏକ ହୋଟେଲକୁ ଯାଇଥିଲେ। ସେଠାରେ ବ୍ୟାଙ୍କ୍‌ ମ୍ୟାନେଜର ସୁନୀଲ ମୃଦୁ ପାନୀୟରେ ନିଶା ମେଡିସିନ୍‌ ମିଶାଇ ଅଧ୍ୟାପିକାଙ୍କୁ ପିିଇବାକୁ ଦେଇଥିଲେ। ଅଧ୍ୟାପିକା ଜଣକ ଅଚେତ ହୋଇଯିବା ପରେ ସୁନୀଲ ତାଙ୍କୁ ବଳାତ୍କାର କରିବା ସହ ନିଜ ମୋବାଇଲ ଫୋନ୍‌ରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ନେଇଥିଲେ। ଚେତା ଫେରିବା ପରେ ସେ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ସୁନୀଲ ଉକ୍ତ ଭିଡିଓ ଦେଖାଇ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ଅଧ୍ୟାପିକା ଜଣକ ତାଙ୍କ ୩ଜଣ ପୁରୁଷ ବନ୍ଧୁଙ୍କୁ ଘଟଣା ବିଷୟରେ ଜଣାଇବା ସହ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ କାବୁ କରି ଭିଡିଓ ଡିଲିଟ୍‌ କରିବା ପାଇଁ ଯୋଜନା କରିଥିଲେ। ହେଲେ ଅଧ୍ୟାପିକାଙ୍କ ୩ ପୁରୁଷ ବନ୍ଧୁ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଅପହରଣ କରି ଭିଡିଓ ଡିଲିଟ୍‌ କରିବା ବଦଳରେ ତାଙ୍କ ମୋବାଇଲ୍‌ ଫୋନ୍‌ ନେଇଯାଇଥିଲେ। ପରେ ତାଙ୍କୁ ବ୍ଲାକ୍‌ ମେଲିଂ କରି ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନାରେ ଅଧ୍ୟାପିକା ଏବଂ ବ୍ୟାଙ୍କ୍‌ ମ୍ୟାନେଜର ଦୁଇଟି ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ.୧୯ ଓ ୨୧ ଓ ୧୯/୨୦ ରୁଜୁକରି ତଦନ୍ତ କରିଥିଲା।