ଅଧ୍ୟାପିକାଙ୍କୁ ବଞ୍ଚାଇଦେଲେ ଆର୍‌ପିଏଫ୍‌ କନ୍‌ଷ୍ଟେବଳ: ଖସି ପଡି ଟ୍ରେନ ତଳକୁ ଯିବା ପୂର୍ବରୁ ଉଦ୍ଧାର କଲେ ସୁବ୍ରତ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଅଧ୍ୟାପିକା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟ୍ରେନ୍‌ ତଳକୁ ଖସିଯିବାବେଳେ ଦେବଦୂତ ସାଜି ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଆର୍‌ପିଏଫ୍‌ କନ୍‌ଷ୍ଟେବଳ। ଶନିବାର ଅପରାହ୍ନ ୩ଟା ୨୦ରେ ଘଟିଛି ଏହି ଘଟଣା। ଅଧ୍ୟାପିକା ଜଣକ ହେଲେ ନିବେଦିତା ସାହୁ। ସେ ରମାଦେବୀ ବିଶ୍ୱବିଦ୍ୟାଳୟ ଆଇଟି ବିଭାଗର ଅଧ୍ୟାପିକା ଅଛନ୍ତି। ତାଙ୍କ ଘର ମେରାମଣ୍ଡଳୀରେ। ରବିବାର ତାଙ୍କର ନିର୍ବନ୍ଧ ଥିଲା। ତେଣୁ ନିବେଦିତା ଗାଁକୁ ଯିବାକୁ ତାଙ୍କ ଭାଇଙ୍କ ସହ ଭୁବନେଶ୍ୱର ରେଳଷ୍ଟେଶନରେ ପହଞ୍ଚତ୍ଥିଲେ। ଟିକେଟ କାଟି ଭିତରକୁ ଯିବାବେଳେ ସେ ଯିବାକୁଥିବା ପୁରୀ-ଇଣ୍ଟରସିଟି ଏକ୍ସପ୍ରେସ୍‌ଟି ପ୍ଲାଟ୍‌ଫର୍ମ ନଂ.୧ରୁ ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା। ଏହା ତାଙ୍କ ଅଞ୍ଚଳକୁ ଶେଷ ଟ୍ରେନ୍‌ ହୋଇଥିବାରୁ ଭାଇଭଉଣୀ ତରବରରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ନିବେଦିତାଙ୍କୁ ପ୍ରଥମେ ତାଙ୍କ ଭାଇ ଚଳନ୍ତା ଟ୍ରେନକୁ ଚଢ଼ାଉଥିଲେ। ହେଲେ ଗୋଡ଼ ଖସି ଯିବାରୁ ନିବେଦିତା ପ୍ଲାଟ୍‌ଫର୍ମରେ ପଡ଼ିଯାଇ ଟ୍ରେନ୍‌ ତଳକୁ ଖସି ଯାଉଥିଲେ। ଏହି ସମୟରେ ଆର୍‌ପିଏଫ କନ୍‌ଷ୍ଟେବଳ ସୁବ୍ରତ କୁମାର ମହାରଣା ଦୌଡ଼ିଯାଇ ତାଙ୍କୁ ଟାଣି ଆଣିଥିଲେ। ସୁବ୍ରତଙ୍କ ଏପରି କାର୍ଯ୍ୟକୁ ନେଇ ସେଠାରେ ଉପସ୍ଥିତ ଲୋକେ ପ୍ରଶଂସା କରିବା ସହ ନିବେଦିତାଙ୍କ ପାଇଁ ସେ ଦେବଦୂତ ଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୁବ୍ରତଙ୍କୁ ସାବାସି ଜଣାଇଛନ୍ତି।