Categories: ବାଣିଜ୍ୟ

ଅଧିକ ସୁବିଧାଜନକ ହେବ ଡିଜିଟାଲ ନେଣଦେଣ;ଆର୍‌ବିଆଇ ଜାରି କଲା ଭିଜନ ୨୦୨୧ ଡକ୍ୟୁମେଣ୍ଟ

ମୁମ୍ବାଇ,୧୭-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୁରକ୍ଷିତ, ସୁବିଧାଜନକ, ଦ୍ରୁତ ଏବଂ ଶସ୍ତା ଡିଜିଟାଲ ଦେୟ ପ୍ରଣାଳୀକୁ ନେଇ ଏକ ଭିଜନ ଡକ୍ୟୁମେଣ୍ଟ ଜାରି କରିଛି। ଆସନ୍ତା ୨ ବର୍ଷ ଭିତରେ ଅନ୍‌ଲାଇନ ଦେୟ ବ୍ୟବସ୍ଥାରେ ଆସିବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଡକ୍ୟୁମେଣ୍ଟ ଜାରି କରାଯାଇଛି।
ଆର୍‌ବିଆଇ ପକ୍ଷରୁ ଜାରି ୨୦୧୯-୨୦୨୧ ଭିଜନ ଡକ୍ୟୁମେଣ୍ଟରେ ଡିସେମ୍ବର ୨୦୨୧ ସୁଦ୍ଧା ଦେଶରେ ଡିଜିଟାଲ ମାଧ୍ୟମରେ ହେବାକୁ ଥିବା ନେଣଦେଣ ୪ ଗୁଣାରୁ ଅଧିକ ବୃଦ୍ଧି ପାଇ ୮୭୦୭ କୋଟି ଟଙ୍କାରେ ପହଞ୍ଚତ୍ୟିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଜାରି କରି ଦେଶରେ ଇ-ଦେୟର ଅନୁଭବକୁ ଅଧିକ ଉନ୍ନତ କରିବା ତଥା ଅଧିକ ଡିଜିଟାଲ ଏବଂ କମ ନଗଦ ଥିବା ସମାଜ ଗଠନ କରିବା ଦିଗରେ ଏହା ଏକ ପଦକ୍ଷେପ ବୋଲି ରିଜର୍ଭ ବ୍ୟାଙ୍କ କହିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ନୂଆ ସେବା ପ୍ରଦାନକାରୀ ଏବଂ ନୂଆ ପନ୍ଥାପଦ୍ଧତି ଆସିବା କାରଣରୁ ଦେୟ ପ୍ରଣାଳୀରେ କ୍ରମାଗତ ପରିବର୍ତ୍ତନ ଜାରି ରହିବ। ଏହାଦ୍ୱାରା ଉପଭୋକ୍ତାଙ୍କୁ ଉନ୍ନତ ଲଗାଣ ଉପରେ ବିଭିନ୍ନ ପ୍ରକାର ଦେୟ ପ୍ରଣାଳୀର ବିକଳ୍ପ ଉପଲବ୍ଧ ହେବ। ଏହି ଡକ୍ୟୁମେଣ୍ଟକୁ ଆର୍‌ବିଆଇ ୨୦୧୯-୨୦୨୧ ମଧ୍ୟରେ ଲାଗୁ କରିବ। ସୂଚନାଥାଉ କି, ଆର୍‌ବିଆଇ ପକ୍ଷରୁ ପ୍ରଥମ ଭିଜନ ଡକ୍ୟୁମେଣ୍ଟ ୨୦୧୬-୨୦୧୮ ଲାଗି ଜାରି କରାଯାଇଥିଲା। ଦେଶରେ ଡିଜିଟାଲ ମାଧ୍ୟମରେ ନେଣଦେଣ ୨୦୧୮ ଡିସେମ୍ବର ସୁଦ୍ଧା ୨୦୬୯ କୋଟି ଟଙ୍କାରେ ପହଞ୍ଚତ୍ଛି।

Share