ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା (କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅସହାୟ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ ଥିବାରୁ ଅନେକ ଶ୍ରମିକ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ମାଇଲ ମାଇଲ ଦୂର ରାଜପଥ ଓ ଟ୍ରେନ୍‌ ଲାଇନ ଉପରେ ଚାଲି ଚାଲି ଯାଉଛନ୍ତି। ଲାଇନ ଉପରେ ଯାଉଥିବା ବେଳେ ଟ୍ରେନ୍‌ ଧକ୍କାରେ କେତେକ ଶ୍ରମିକଙ୍କର ପ୍ରାଣହାନି ହୋଇଛି। କୌଣସି ସୁବିଧା ନ ଥିବାରୁ ଶ୍ରମିକମାନେ ନିଜ ପେଟରୁ କାଟି ବସ୍‌ଭଡା ଦେଇ ଆସୁଛନ୍ତି। ଏ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ସେହି ଶ୍ରମିକମାନେ ଯେପରି ଚାଲି ଚାଲି ନ ଯିବେ ସେଥିପାଇଁ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବା ଆରମ୍ଭ କରିଛନ୍ତି। ସେହି ଟ୍ରେନ୍‌ଗୁଡିକୁ ରାଜ୍ୟକୁ ଯିବା ଲାଗି ଅନୁମତି ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସୋମବାର ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଯଦି କୌଣସି ଶ୍ରମିକ ରେଳ ଧାରଣା କିମ୍ବା ରାସ୍ତାରେ ଚାଲି ଚାଲି ଯାଉଥିବା ନଜରକୁ ଆସିବ ସେମାନଙ୍କୁ ବୁଝାଶୁଝା କରି ନିକଟରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ନେଇ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ଶ୍ରମିକ ସ୍ପେଶାଲ ଟ୍ରେନ୍‌ କିମ୍ବା ବସ୍‌ରେ ସେମାନଙ୍କ ଘରକୁ ଯିବାକୁ ଅନୁମତି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷା କରି ବହୁ ସଂଖ୍ୟାରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାର ଅସହାୟ ଅବସ୍ଥାରେ ଥିବା ଶ୍ରମିକମାନେ ସୁବିଧାରେ ନିଜର ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।