ଅଧାଗଢ଼ା ରହିଗଲା ବ୍ରହ୍ମତାଳଧ୍ୱଜ ରଥ: ଝୁଲଣ ଘରେ ମାଉସୀମା’ ଆଡ଼ପ ମଣ୍ଡପ

କେନ୍ଦ୍ରାପଡ଼ା ଅଫିସ,୧୯ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରଠାରେ ପ୍ରସ୍ତୁତ ହେଉଥିବା ବ୍ରହ୍ମତାଳଧ୍ୱଜ ରଥ ଅଧାଗଢ଼ା ହୋଇ ରହିଗଲା। ଚଳିତବର୍ଷ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ରଥରେ ବସି ପାରିବେନି। ଜିଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଶ୍ରୀଜୀଉଙ୍କ ଟ୍ରଷ୍ଟ ବୋର୍ଡକୁ ନିର୍ଦ୍ଦେଶନାମା ଦେଇଛନ୍ତି। ଏଥିସହିତ ରାଜନଗରର ୩, ଗରଦପୁର ବ୍ଲକର ୩, ପଟ୍ଟାମୁଣ୍ଡାଇର ୨, ଆଳି, ରାଜକନିକା ଓ ଡେରାବିଶ ବ୍ଲକର ଗୋଟିଏ ଲେଖାଏ ସ୍ଥାନରେ ହେଉଥିବା ରଥଯାତ୍ରା ବନ୍ଦ କରାଯାଇଛି। ତେବେ ରଥଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ପରିସରରେ କରାଯିବାକୁ ଅନୁମତି ଦେଇଛନ୍ତି। ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଏହି ନୀତିକାନ୍ତି ସମାପନ ପାଇଁ ଝୁଲଣ ଘରେ ମାଉସୀମା’ ଆଡପ ମଣ୍ଡପ ଓ ରଥର ପ୍ରତୀକାତ୍ମକ ଭାବେ ସ୍ନାନ ବେଦୀକୁ ନିଆଯାଇ ପାରେ ବୋଲି ରାଜପୁରୋହିତ ଗିରିଧାରୀ ପତି ସୂଚନା ଦେଇଛନ୍ତି। ରଥର ପାରାଭାଡି ନିର୍ମାଣ ପର୍ଯ୍ୟାୟରେ ଜିଲାପାଳଙ୍କ ନିର୍ଦ୍ଦେଶନାମା ପରେ ଏହା ବନ୍ଦ ହୋଇଥିବା ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର ପରସରରେ ରଥଯାତ୍ରାକୁ ନେଇ ରାଜପୁରୋହିତ ପତି, ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ। ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପାଳନ କରାଯିବ। ଏ ସମ୍ପର୍କରେ ଜିଲାପାଳ ବର୍ମା କହିଛନ୍ତି, ମହାମାରୀ କରୋନା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କେନ୍ଦ୍ରାପଡା ଜିଲା ଏଥିରୁ ବାଦ ପଡିନାହିଁ। ୩୫ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଜିଲାକୁ ଆସିଛନ୍ତି। ରଥଯାତ୍ରା ହେଲେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ରୋକିହେବ ନାହିଁ। ଫଳରେ ସାମାଜିକ ଦ୍ୱରତ୍ୱ ଓ ମହାମାରୀର ଅନ୍ୟ ନିୟାମାବଳୀ ଭଙ୍ଗ ହେବା ଦୃଷ୍ଟିରୁ ରଥଯାତ୍ରାକୁ ଚଳିତବର୍ଷ ପାଇଁ ବନ୍ଦ କରାଯାଇଛି।