Categories: ବାଣିଜ୍ୟ

ଅଧସ୍ତନଙ୍କ ୩୮ କୋଟି ହଡପ;ଗୋଲ୍ଡମ୍ୟାନ ସାକ୍ସର ଭିପି ଗିରଫ

ବେଙ୍ଗାଲୁରୁ,୧୧-୯: ଅନ୍‌ଲାଇନ ପୋକର୍‌ ଗେମ୍‌ ଖେଳି ବିଶ୍ୱ ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାକ୍ସର ବେଙ୍ଗାଲୁରୁ ଅଫିସର ଭାଇସ୍‌ ପ୍ରେସିଡେଣ୍ଟ(ଭିପି) ଅଶ୍ୱିନୀ ଝୁନ୍‌ଝୁନ୍‌ଓ୍ବାଲା ବହୁ କୋଟି ଟଙ୍କା ହରାଇଛନ୍ତି। ଏହି ଅର୍ଥ ପରିଶୋଧ କରିବାକୁ ଯାଇ ସେ ଅଧସ୍ତନ କର୍ମଚାରୀଙ୍କ ଆକାଉଣ୍ଟକୁ ବ୍ୟବହାର କରି ପ୍ରାୟ ୩୮ କୋଟି ଟଙ୍କା(୫.୪ ମିଲିୟନ ଡଲାର) ହଡପ କରିନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ମଙ୍ଗଳବାର ମରାଠାହାଲି ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। କମ୍ପାନୀର ଆଇନ ବିଭାଗ ମୁଖ୍ୟ ଅଭିଷେକ ପର୍‌ସିରାଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଙ୍କର ସହଯୋଗୀ ବେଦାନ୍ତ ଫେରାର ହୋଇଯାଇଛନ୍ତି। ପ୍ରାରମ୍ଭିକ ଅଭିଯୋଗ ଅନୁଯାୟୀ, ଝୁନ୍‌ଝୁନଓ୍ବାଲା ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ନିଜ ଅଧୀନରେ ଥିବା ୩ ଜଣ କର୍ମଚାରୀ ଗୌରବ ମିଶ୍ରା, ଅଭିଷେକ ଯାଦବ ଏବଂ ସୁଜିତ୍‌ ଅପ୍ପୈୟାଙ୍କୁ ବ୍ୟବହାର କରିଥିଲେ। ସେମାନଙ୍କୁ ପ୍ରଶିକ୍ଷଣ ଦେବା ବାହାନାରେ ସେ ନିଜ ଆଡକୁ ଆକର୍ଷିତ କରିଥିଲେ। ଝୁନ୍‌ଝୁନଓ୍ବାଲା ସେମାନଙ୍କ କମ୍ପ୍ୟୁଟରରୁ ଲଗ୍‌ ଇନ୍‌ କରିବା ବେଳେ ଅନ୍ୟ କାମରେ ନିୟୋଜିତ କରିଥିଲେ। ପେମେଣ୍ଟ ଫେରସ୍ତ ପାଇବା ଲାଗି ସେଟେଲମେଣ୍ଟ ରିକନ୍‌ସିଲିଏଶନ ସର୍ଭିସର ଆବଶ୍ୟକତା ରହିଥିବାରୁ ଗୌରବଙ୍କୁ ଏଥିପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନୂଆ ନିଯୁକ୍ତି ପାଇଥିବାରୁ ସେ ଏହା ଜାଣି ନଥିବା କହିବା ପରେ ଝୁନ୍‌ଝୁନ୍‌ଓ୍ବାଲା ତାଙ୍କର କମ୍ପ୍ୟୁଟର ବ୍ୟବହାର କରି କମ୍ପାନୀ ଆକାଉଣ୍ଟରୁ ୩୮.୮ କୋଟି ଟଙ୍କା ହଡପ୍‌ କରିନେଇଥିଲେ। ଆଭ୍ୟନ୍ତରୀଣ ତଦନ୍ତ ପରେ ସେ ସବୁ କଥା ମାନି ଯାଇଥିଲେ। ଗୌରବଙ୍କ କମ୍ପ୍ୟୁଟର ମାଧ୍ୟମରେ ସେ ସେପ୍ଟେମ୍ବର ୪ରେ ହଂକଂସ୍ଥିତ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନାରେ ଥିବା ସିନର୍ଜି ଓ୍ବିସ୍‌ଡମ୍‌ ଲିମିଟେଡ ଆକାଉଣ୍ଟକୁ ଉକ୍ତ ଅର୍ଥ ପଠାଇଥିବା ଝୁନ୍‌ଝୁନଓ୍ବାଲା ସ୍ବୀକାର କରିଥିଲେ। ସେ ଅନ୍‌ଲାଇନ ପକର ଖେଳି ୭୦ ହଜାର ଡଲାର ହାରି ଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

Share