ଅଦିନିଆ ବର୍ଷାରେ ଯୋଡା ବେହାଲ

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ ରାସ୍ତା ଉପରେ କାଦୁଅର ଆସ୍ତରଣ ଚକୋଲେଟ୍‌ର ଭ୍ରମ ସୃଷ୍ଟି କରୁଛି । ଏହା ସହିତ ଯୋଡା-ବଡବିଲ, ଯୋଡା- ବାମେବାରୀ, ଯୋଡା- ବିଲେଇପଦା, ବିଲେଇପଦା-ମୃଗା ପ୍ରମୁଖ ରାସ୍ତା ବର୍ଷା ଓ କାଦୁଅ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ଟ୍ରାଫିକ ଠପ୍‌ ହୋଇଯାଇଛି । ଯୋଡା ପୋଲିସ, ଘରୋଇ ସୁରକ୍ଷାକର୍ମୀ ମିଶି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ ହେଁ, ଏଥିରେ କୌଣସି ସୁଦ୍ଧାର ନାହିଁ । ଅତ୍ୟବଶକୀୟ ଜିନିଷ ଯଥା- କ୍ଷୀର, ପନିପରିବା, ମାଛ ସହରକୁ ପହଞ୍ଚି ପାରୁ ନ ଥିବା ବେଳେ ଖବରକାଗଜ ଗାଡି ମଧ୍ୟ ସହରକୁ ଆସି ପାରୁନାହିଁ ା ସହରର ବିଭିନ୍ନ ବସ୍ତି ଓ ହଟିଂର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଦିନିଆ ଝିପି ଝିପି ବର୍ଷାରେ ମଧ୍ୟ ସହରରେ ଏକ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଯୋଡାର ଦୁଇଟି ବଜାରକୁ ସଂଯୋଗ କରିଥିବା ସୁନାନଦୀ ପୋଲ ଉପରେ କାଦୁଅ, ମାଟି, ପାଣି ଜମି ରହିଥିବାରୁ ସାଧାରଣ ବାଟୋଇ ମଧ୍ୟ ପାଦରେ ଚାଲି ଯାଇପାରୁନାହାନ୍ତି। ବାଟୋଇ ବିଜୟ ବେହେରା ଖବରକାଗଜ ବ୍ୟବସାୟୀ ସୁରେଶ ନାୟକ, ମହିଳା ତାରି କାରୁଆ, ଦୁଃଖବନ୍ଧୁ ଦେହୁରୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ଏଅଞ୍ଚଳରୁ ଯାଉଥିଲେ ମଧ୍ୟ ଏହାର ବିନିଯୋଗ ଜିଲା ପ୍ରଶାସନ ଠିକ୍‌ ଭାବରେ କରିପାରୁନାହିଁ ା ମୌଳିକ ସୁବିଧା ମଧ୍ୟ ଏଠାରେ ଅପହଞ୍ଚ। ରାସ୍ତାର ଅବସ୍ଥା ସତେ ଯେପରି କେହି ଚକୋଲେଟ୍‌କୁ ରାସ୍ତା ଉପରେ ଦଳିଚକଟି ଦେଇଛି ବୋଲି ସେମାନେ କହିଛନ୍ତି। ଖଣିର ନିଲାମ ପ୍ରକ୍ରିୟା ଚାଲୁଥିବାରୁ ମାର୍ଚ୍ଚମାସ ମଧ୍ୟରେ ଖଣିର ଷ୍ଟକକୁ ପରିବହନ ପାଇଁ ରାଜ୍ୟ ତଥା ବିଭିନ୍ନ ରାଜ୍ୟର ହଜାର ହଜାର ସଂଖ୍ୟାର ଭାରିଯାନ ଚଳାଚଳ ଜନଜୀବନକୁ ଦୁର୍ବିଶହ କରିପକାଉଛି ା ସକାଳେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ରାସ୍ତା ଜାମ୍‌ ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ା