ଅଦରକାରୀ ପଦାର୍ଥରୁ ଆକର୍ଷଣୀୟ ସାମଗ୍ରୀ: କର୍ମଶାଳାରେ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

ସୋର, ୩।୧୧(ଡି.ଏନ.ଏ.)-ସୋରସ୍ଥିତ ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦୁଇଦିନିଆ କୋଲାଜ ପେଣ୍ଟିଂ କର୍ମଶାଳା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଏହାକୁ ବରିଷ୍ଠ ଶିଳ୍ପୀ ରତିକାନ୍ତ ଦାଶ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରତିଷ୍ଠାନର କଳା ଶିକ୍ଷକ ଶିଳ୍ପୀ ରାଜବଲ୍ଲଭ ସାହୁ ଓ ସମ୍ମାନିତ ଅତିଥି ଭାବେ ବାଗୁଡ଼ି ଜବାହର ନବୋଦୟ ବିଦ୍ୟାଳୟର କଳା ଶିକ୍ଷକ ଧର୍ମପଦ ବିଶ୍ୱାଳ ଯୋଗଦେଇଥିଲେ। ପ୍ରତିଷ୍ଠାନର ଶହେ ଜଣ ଛାତ୍ରୀଛାତ୍ର ଏଥିରେ ସାମିଲ ହୋଇଥିଲେ।
ଅଧ୍ୟକ୍ଷା ଜୟମାଳା ସେଠୀ ସଭାପତିତ୍ୱ କରିଥିଲେ। ପ୍ରତିଷ୍ଠାନରେ କଳାଶିକ୍ଷକ ଦୀର୍ଘଦିନ ଧରି ନ ଥିବା ସତ୍ତ୍ୱେ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା। କେବଳ ଛିଣ୍ଡା କାଗଜ, ଅଦରକାରୀ ପଦାର୍ଥ ଓ ଅଠା ସାହାଯ୍ୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ବିଶେଷ କରି ଜୀବଜନ୍ତୁ, ଗଛଲତା, ଫୁଲଦାନି ସହ ପାଠ୍ୟ ଉପକରଣ ତିଆରି କରାଯାଇଥିଲା। ଏହି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ କୋଲାଜ ପେଣ୍ଟିଂ କର୍ମଶାଳା ଉଦ୍ଦେଶ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଶେଷରେ ଶିକ୍ଷକ କଳିଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।