ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ବାଦ୍‌ ପଡ଼ିବା ପରେ ବଢୁଛି ଦର, କଳାବଜାର ଆଶଙ୍କା

କଟକ ଅଫିସ,୭।୬: ବଜାରରେ ଏବେ ଆଳୁ ଦର ବଢ଼ିବାରେ ଲାଗିଛି। ଦୁଇ ଦିନ ଭିତରେ କିଲୋ ପିଛା ୧୦ ଟଙ୍କା ବଢ଼ିଲାଣି। ବାତ୍ୟା ଅମ୍ଫନ ପ୍ରଭାବ ଯୋଗୁ ଦର ବଢ଼ିଥିବା ଛତ୍ରବଜାର ବ୍ୟବସାୟୀମାନେ କହୁଛନ୍ତି। କିନ୍ତୁ କେନ୍ଦ୍ର କ୍ୟାବିନେଟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଆଣିବା ପରେ ଏହି ସମସ୍ୟା ଦେଖାଦେଇଥିବା ବୁଦ୍ଧିଜୀବୀ ମହଲ କହିଛନ୍ତି। ଫଳରେ ଏହାକୁ ନେଇ କଳାବଜାର ମଧ୍ୟ ଆରମ୍ଭ ହେଲାଣି।

ଦୁଇ ଦିନ ତଳେ ଆଳୁ କିଲୋ ପିଛା ୧୯ରୁ ୨୦ ଟଙ୍କାରେ ବିକ୍ରି କରାଯାଉଥିଲା। ଏବେ ତାହା ୩୦ ଟଙ୍କା ହୋଇଛି। ଛତ୍ରବଜାର ବ୍ୟବସାୟୀ ତଥା ଛତ୍ରବଜାର ପୂଜା କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ସୂଚନା ମୁତାବକ, ଆଳୁ କୁଇଣ୍ଟାଲ ପିଛା ୧୯୦୦ରୁ ୨୦୦୦ ଟଙ୍କା ଥିଲା। ଏବେ ତାହା ୧୦୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ବାତ୍ୟା ଅମ୍ଫନ ପ୍ରଭାବରେ ପଶ୍ଚିମବଙ୍ଗ ଓ ବନ୍ୟା ପ୍ରଭାବରେ ଆସାମ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ଆଳୁଦର ବଢ଼ିଥିବା ସେ କହିଛନ୍ତି। ଆଳୁ ଟ୍ରକ ପୂର୍ବଭଳି ଅଧିକ ସଂଖ୍ୟାରେ ଆସୁନାହିଁ। ଖୁଚୁରା ବ୍ୟବସାୟୀ ଏହାର ମୂଲ୍ୟ ବଢ଼ାଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସହରରେ ଖୁଚୁରା ବ୍ୟବସାୟୀ ଭିନ୍ନଭିନ୍ନ ସ୍ଥାନରେ ବସୁଥିବାରୁ ଦର ଉପରେ ଛତ୍ରବଜାରର ନିୟନ୍ତ୍ରଣ ରହୁନି ବୋଲି ସେ କହିଛନ୍ତି। ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆମଦାନି ହେବା ବଦଳରେ ଆସାମକୁ ଅଧିକ ରପ୍ତାନି ହେଉଛି। ଶଟ୍‌ଡାଉନ୍‌ ଘୋଷଣା ପରେ ଉପଭୋକ୍ତା ଆବଶ୍ୟକତାଠାରୁ ଅଧିକ ପରିମାଣର ଖାଦ୍ୟ ସାମଗ୍ରୀ କିଣୁଛନ୍ତି। ଏହା ଦରବୃଦ୍ଧିର ମୂଳ କାରଣ। ଛତ୍ରବଜାରର ବଡ଼ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଦର କମିବ ବୋଲି ବୋଲି ଯୋଗାଣ ଅଧିକାରୀ ମହାପାତ୍ର କହିଛନ୍ତି।