ଅଣ୍ଡର ବ୍ରିଜ୍‌ ନିର୍ମାଣକୁ ନେଇ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା

କେସିଙ୍ଗା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ରେଳ ଡିଭିଜନ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏହା ତାଙ୍କ ହାତରେ ନ ଥିବା ଏବଂ ଜିଲାପାଳ ନଚେତ ରେଳ ବିଭାଗକୁ ଜଣାନ୍ତୁ ବୋଲି ଡିଆର୍‌ଏମ୍‌ କହିଥିଲେ। ଏହାକୁ ନେଇ କମିଟି ସଦସ୍ୟମାନେ ବୁଧବାର କେସିଙ୍ଗା ସହର ବନ୍ଦ ଡାକରା ଦେଇଛନ୍ତି।

ସୂଚନାନୁଯାୟୀ, ସହର ଦେଇ ଯାଇଥିବା ୨୬ନଂ. ଜାତୀୟ ରାଜପଥ ଉପରେ ନିର୍ମିତ ଟ୍ରେନ୍‌ ଲାଇନ୍‌ ବଲାଙ୍ଗୀରଠାରୁ ଭବାନୀପାଟଣାକୁ ସଂଯୋଗ କରୁଛି। ସେହିଭଳି ଏହି ରାଜପଥ ଦେଇ ରାୟପୁରଠାରୁ ବିଶାଖାପାଟଣାକୁ ଦ୍ୱିତୀୟ ଲାଇନ ସଂଯୋଗ ହୋଇଛି। ବର୍ତ୍ତମାନ ୩ୟ ଲାଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେସିଙ୍ଗା ସହରର ରେଳ ଫାଟକରେ ୩ୟ ଲାଇନ କାମ ଜାରି ରହିଥିବା ଯୋଗୁ ଯାନବାହନ ଚଳାଚଳ କ୍ଷେତ୍ରରେ ବହୁତ ଅସୁବିଧା ହେଉଛି। ଦିନକୁ ପ୍ରାୟ ୧୫ ଘଣ୍ଟା ଏହି ରେଳ ଫାଟକରେ ଭିଡ଼ ଜମୁଛି। ଯାତ୍ରୀବାହୀ ବସ, ମାଲ ବୋଝେଇ ଟ୍ରକ, ଦୁଇଚକିଆ ଯାନ ଯିବାଆସିବା କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଛି।

ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଡିଆର୍‌ଏମ୍‌ କେସିଙ୍ଗା ଦେଇ ସମ୍ବଲପୁର ଫେରୁଥିବା ସମୟରେ କେସିଙ୍ଗା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ଉକ୍ତ କମିଟିର ସଦସ୍ୟ ଦେବେନ୍ଦ୍ର ଭୁଜବଳ ଶଙ୍କର ଅଗ୍ରୱାଲ, କଂଗ୍ରେସ ଟାଉନ ସଭାପତି ସୁରେଶ ରାଓ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଡିଆର୍‌ଏମ୍‌ ପ୍ରଦୀପ କୁମାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଡିଆର୍‌ଏମ୍‌ ଦାବିପତ୍ର ପାଇବା ପରେ ଏହା ତାଙ୍କ ହାତର କଥା ନୁହେଁ ବୋଲି କହିଥିଲେ। ଏପରିକି ଜିଲାପାଳ ଅଥବା ରେଳବାଇ ବୋର୍ଡଙ୍କୁ ଲେଖିକରି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ।