ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚି: ଯନ୍ତ୍ରଣା ଭୋଗୁଛି ୫ ବର୍ଷର କନ୍ୟା

ଅନୁଗୋଳ ଅଫିସ, ୨।୧୦- ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚି ଭାଙ୍ଗି ରହିଯାଇଥିବାରୁ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁକନ୍ୟା ଯନ୍ତ୍ରଣା ଭୋଗୁଛି। ଅନୁଗୋଳ ଓ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଅସ୍ତ୍ରୋପଚାର ବିଫଳ ହେବା ପରେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ନ ପାରି ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିବା ସୂଚନା ମିଳିଛି। ତେବେ ଏ ନେଇ କିଛି ଜାଣି ନ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ(ମେଡିକାଲ) ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି।
ଶିଶୁକନ୍ୟାଙ୍କ ବାପା ନିରଞ୍ଜନ ବେହେରା କହିଛନ୍ତି, ଦେଢ଼ମାସ ତଳେ ଝିଅ ବଳରାମପ୍ରସାଦସ୍ଥିତ ମାମୁ ଘରକୁ ଯାଇଥିବାବେଳେ ଜ୍ୱରରେ ପୀଡ଼ିତ ହୋଇଥିଲା। ନିକଟରେ ଥିବା ଏକ କ୍ଲିନିକ୍‌ର ଫାର୍ମାସିଷ୍ଟ ଝିଅକୁ ଇଞ୍ଜେକଶନ୍‌ ଦେଇଥିଲେ। କିନ୍ତୁ ଛୁଞ୍ଚତ୍ଟି ଭାଙ୍ଗି ଅଣ୍ଟାରେ ରହିଯାଇଥିଲା। ପରେ ଯନ୍ତ୍ରଣା ହେବାରୁ ଝିଅକୁ ଅନୁଗୋଳର ଏକ ଘରୋଇ ମେଡିକାଲରେ ଦେଖାଇଥିଲେ। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ କଟକର ଏକ ଘରୋଇ ନର୍ସିଂହୋମରେ ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ୩ଡି ଡିଜିଟାଲ ମେଶିନ ନ ଥିବାରୁ ଛୁଞ୍ଚତ୍ ଠାବ କରାଯାଇପାରି ନ ଥିଲା। ପାଖରେ ଆଉ ଅର୍ଥ ନ ଥିବାରୁ ଅଧିକ ଚିକିତ୍ସା କରି ନ ପାରି ଝିଅକୁ ଘରକୁ ଫେରାଇ ଆଣିଛନ୍ତି। ପ୍ରଶାସନ ସହାୟତା ଦେଲେ ଝିଅ ଯନ୍ତ୍ରଣାମୁକ୍ତ ହୋଇପାରନ୍ତା ବୋଲି ନିରଞ୍ଜନ ପ୍ରକାଶ କରିଛନ୍ତି।