Categories: ଗଞ୍ଜାମ

ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ, ୨ରେ ନବଯୌବନ ଦର୍ଶନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି ରଖିଛନ୍ତି। ଠାକୁର ୧୫ ଦିନ ଅଣସର ଘରେ ରହିବା ଯୋଗୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ଏହି ସମୟରେ ସେମାନେ ପଟିଦିଅଁଙ୍କୁ ପୂଜା କରିବେ।
ଏ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଅସୁସ୍ଥ ଠାକୁରଙ୍କ ସେବାରେ ଯେପରି ବ୍ୟାଘାତ ନ ହେବ, ସେନେଇ ଜଗନ୍ନାଥ ମନ୍ଦିରରେ ଯଥାସମ୍ଭବ ନୀରବତା ରକ୍ଷା କରାଯାଉଛି। ଅସୁସ୍ଥ ହୋଇ ଅଣସର ଘରେ ଥିବା ଠାକୁରଙ୍କ ପାଖରେ କେବଳ ଫଳମୂଳ ଭୋଗ କରାଯାଉଛି। ମହାପ୍ରଭୁଙ୍କ ସେବକମାନେ ଅଣସର ଘରେ ଅତ୍ୟନ୍ତ ନିଷ୍ଠାର ସହ ସେବାକାର୍ଯ୍ୟ ଜାରି ରଖିଛନ୍ତି।
ଏହି ସମୟରେ ସେବକମାନେ ଶରୀରରେ କୌଣସି ଅଳଙ୍କାର ନ ପିନ୍ଧି କେବଳ ଶୁଭବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁଙ୍କ ଗୁପ୍ତ ସେବାରେ ନିୟୋଜିତ ଅଛନ୍ତି। ପଟିଦିଅଁଙ୍କୁ ପ୍ରତିଦିନ ପୂଜା କରିବା ଲାଗି ସକାଳେ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଆସନ୍ତା ୨ ତାରିଖରେ ନବଯୌବନ ବେଶରେ ଶ୍ରୀଜୀଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।