ଅଣସରରେ ଜନତା

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ସର୍ବଶ୍ରେଷ୍ଠ ଚତୁର,ବୁଦ୍ଧିମାନ ଓ ସାମାଜିକ ପ୍ରାଣୀ। ଈଶ୍ୱର ସୃଷ୍ଟି ସମୟରେ ମଣିଷକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ କେବଳ ଉପଭୋଗ କରିବା ପାଇଁ ଦେଇଛନ୍ତି ଓ ସେଥିରେ ମଧ୍ୟ ଏକ ପରିସୀମାକୁ ରେଖାଙ୍କିତ କରିଛନ୍ତି, ମାତ୍ର ଚତୁର ମଣିଷ ଉପଭୋଗର ବାସ୍ନାରେ କର୍ତ୍ତବ୍ୟକୁ ଭୁଲିଯାଇ ପ୍ରକୃତିକୁ ଅତ୍ୟନ୍ତ ନିଷ୍ଠୁର ଭାବରେ ବିଦାରିତ କରିଚାଲିଲା। ସୃଷ୍ଟିର ପ୍ରାରମ୍ଭରେ ମନୁଷ୍ୟ ପ୍ରଥମେ ପୃଥିବୀ ମଧ୍ୟରେ ଥିବା ସମସ୍ତ ସୃଷ୍ଟିକୁ ଯଥାଯୋଗ୍ୟ ବ୍ୟବହାର କରୁଥିଲା, ମାତ୍ର ସମୟର ପରିବର୍ତ୍ତନରେ ନିଜର ସାର୍ଥକୁ ହାସଲ କରିବା ପାଇଁ ମଣିଷ ନିଜର ଆଧିପତ୍ୟକୁ ଧୀରେ ଧୀରେ ଅନ୍ୟମାନଙ୍କ ଉପରେ ବିସ୍ତାର କରିଚାଲିଲା। ପୃଥିବୀରେ ଥିବା ଜଳ, ସ୍ଥଳ, ଆକାଶ, ପାତାଳ ଇତ୍ୟାଦିକୁ ବ୍ୟବହାର କରି ସେଥିରୁ ନିଜର ସାର୍ଥସାଧନ କଲା। କ୍ରମେ ବ୍ୟବହାରରୁ ଆରମ୍ଭ ହେଲା ଅପବ୍ୟବହାର। ମଣିଷ ଭୂତଳ ଜଳକୁ ଅପବ୍ୟବହାର କଲା, ଭୂପୃଷ୍ଠ ଜଳକୁ ଅପବ୍ୟବହାର କଲା, ସୃଷ୍ଟିକୁ ଜୀବନ୍ତ ରଖିଥିବା ଜଙ୍ଗଲକୁ ଧଂସ କଲା, ରାସାୟନିକ ପଦାର୍ଥକୁ ବ୍ୟବହାର କରି ଅଧିକ ଅମଳ ନାଁରେ ଜଳବାୟୁକୁ ଧଂସ କଲା, ସୁରକ୍ଷା ନାଁରେ ରାସାୟନିକ କ୍ଷେପଣାସ୍ତ୍ର ପରୀକ୍ଷଣର ପ୍ରତିଯୋଗିତା କରିଚାଲିଲା ଓ ପରିଶେଷରେ ଜୀବଜନ୍ତୁ, କୀଟପତଙ୍ଗ,ପକ୍ଷୀ,ସରୀସୃପ ଆଦିଙ୍କ ଉପରେ ଅତ୍ୟାଚାର କରି ଧଂସ କରିବାକୁ ଆଗେଇଚାଲିଲା, ଯାହାର ପ୍ରତିଫଳନ ହେଉଛି ‘କରୋନା’ ଭୂତାଣୁ।
‘କରୋନାଦ’ ହେଉଛି ଏକ ଲାଟିନ ଶବ୍ଦ, ଯାହାର ଅର୍ଥ ହେଉଛି ଶୀର୍ଷ । ଏହାର ମୁଖ୍ୟ ପ୍ରତିକ୍ରିୟା ହେଉଛି ମନୁଷ୍ୟର ଶାସକ୍ରିୟାରେ ଭୂତାଣୁଗୁଡିକ ବାଧା ସୃଷ୍ଟି କରିଥାନ୍ତି ଓ ଏହା ଧୀରେ ଧୀରେ ସଂପୂର୍ଣ୍ଣ ଶରୀରରେ ସଂକ୍ରମିତ ହୋଇ ମଣିଷର ଶାସକ୍ରିୟାକୁ ବନ୍ଦ କରିଥାଏ, ଫଳରେ ମଣିଷର ମୃତ୍ୟୁ ହୋଇଥାଏ। ଏସିଆ ମହାଦେଶର ଚାଇନାର ଉହାନ ସହର ହେଉଛି ସର୍ବଶ୍ରେଷ୍ଠ ଜୀବଜନ୍ତୁର ବଜାର, ଯେଉଁଠାରେ ୧୧୨ ପ୍ରକାରରୁ ଊର୍ଦ୍ଧ୍ୱ ଜୀବଜନ୍ତୁକୁ ଜିଅନ୍ତା ଓ ମୃତ ଅବସ୍ଥାରେ ବିକ୍ରି କରାଯାଇଥାଏ। ଏଠାରେ ସାପ, ବେଙ୍ଗ, ଝିଟିପିଟିଠାରୁ ଆରମ୍ଭ କରି ମୂଷା, ଗୋରୁ, ଗଧ ଆଦି ପଶୁମାନଙ୍କ ମାଂସ ଚାଇନାବାସୀ ଅତି ଆନନ୍ଦରେ ତାହାକୁ ଭକ୍ଷଣ କରିଥାନ୍ତି। ଏହା ମଣିଷର ପଶୁପକ୍ଷୀ, ସରୀସୃପମାନଙ୍କ ପ୍ରତି କ୍ରୂରତାର ଖେଳ, ଯାହାର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରେ। ଯେତେବେଳେ ଦୁର୍ବଳ ଉପରେ ଅତ୍ୟାଚାର ବଢି ଚାଲେ ସେତେବେଳେ କିଛି ନା କିଛି ଅଘଟଣ ଆପେ ଆପେ ଘଟିଥାଏ, ଯାହା ହେଲା ଚାଇନାର ଉହାନ ସହରରେ ନିରୀହ ପଶୁପକ୍ଷୀ, ସରୀସୃପମାନଙ୍କୁ ବଧ କରି ମଣିଷ ନିଜର ଇନ୍ଦ୍ରିୟ ଲାଳସାକୁ ଚରିତାର୍ଥ କଲା ସତ, ହେଲେ ସମଗ୍ର ବିଶ୍ୱ ବର୍ତ୍ତମାନ କରୋନାର ଶିକାର ହେଲା। ବିଶ୍ୱରେ ବହୁ ଧନ ଜୀବନ ନଷ୍ଟ ହେଲା। ବିଶ୍ୱର ପ୍ରତି ଦେଶର ଅର୍ଥନୀତି ଅବସ୍ଥା ଗୁରୁତର ହେଲାଣି।
ଜୀବଜଗତରେ ବିଶେଷତଃ ତିନି ପ୍ରକାରର ପ୍ରାଣୀ ଦେଖାଯାଇଥାଏ ଓ ସେଗୁଡିକ ହେଲା- ଶାକାହାରୀ (ହର୍ଭିଭୋରସ) ବା ଯେଉଁମାନେ ଜୀବ ଜନ୍ତୁମାନଙ୍କୁ ନ ଖାଇ ତୃଣ ଓ ନିରାମିଷ ଖାଦ୍ୟ ଖାଇଥାନ୍ତି, ଅନ୍ୟ ପ୍ରକାରର ପ୍ରାଣୀ ହେଉଛନ୍ତି ଜୀବଜନ୍ତୁ ଭକ୍ଷଣ କରୁଥିବା ପ୍ରାଣୀ ବା ଯାହାକୁ କୁହାଯାଏ (କାର୍ନିଭୋରସ) ଓ ତୃତୀୟ ପ୍ରକାରର ପ୍ରାଣୀ ହେଉଛନ୍ତି ଉଭୟ ପ୍ରକାରର ଖାଦ୍ୟ ଯେଉଁମାନେ ଭକ୍ଷଣ କରିଥାନ୍ତି(ଅମିନୀଭୋରସ)। ତେଣୁ କରୋନା ଭୂତାଣୁ ହେଉଛି ଉକ୍ତ ଜୀବଜନ୍ତୁ ଭକ୍ଷଣ କରୁଥିବା (କାର୍ନିଭୋରସ) ପ୍ରାଣୀମାନଙ୍କର ନିଷ୍ଠୁର ମାନବ ସଭ୍ୟତା ପ୍ରତି ଉପହାର। ସୃଷ୍ଟିକୁ ସନ୍ତୁଳିତ କରୁଥିବା ଜୀବଜନ୍ତୁ ପ୍ରତି ନିର୍ଦ୍ଦୟର ସ୍ବରୂପ ହେଉଛି କରୋନା ଭୂତାଣୁ। ଯେଉଁ ଜୀବଜନ୍ତୁମାନଙ୍କୁ ଭକ୍ଷଣ କରି ମନୁଷ୍ୟ ଆନନ୍ଦିତ ହେଉଥିଲା ସେଇ ଜୀବଜନ୍ତୁମାନଙ୍କର ସୂକ୍ଷ୍ମ ଅଂଶରେ ସାରା ବିଶ୍ୱ ଥରହର। ଏଥିରୁ ଶିକ୍ଷା ହୋଇଥାଏ ଯେ ଦୁର୍ବଳ ପ୍ରତି ମଧ୍ୟ ସବଳ ଅନ୍ୟାୟ କଲେ ଦିନେ ନା ଦିନେ ତାହାର ପ୍ରତିଫଳନ ଭୋଗ କରିବାକୁ ପଡିବ। ସେଥିପାଇଁ ଇନ୍ଦ୍ରିୟ ସଂଯମତା ଓ ପ୍ରକୃତିକୁ ସମ୍ମାନ ଦେବାକୁ ପଡିବ। ସନ୍ତୁଳିତ ଖାଦ୍ୟ ଓ ପରିମିତ ଆହାର ହେଉଛି ସୁସ୍ଥ ଜୀବନର ରୂପରେଖ। ଏକ ବିଂଶ ଶତାବ୍ଦୀରେ ଯେତେବେଳେ ମନୁଷ୍ୟ ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ଉପଗ୍ରହମାନଙ୍କରେ ପାଦ ଥାପିବା ପାଇଁ ତତ୍ପର ସେହି ଶତାବ୍ଦୀରେ ମଣିଷକୁ ଖାଦ୍ୟର ସଚେତନତା ଓ ପରିଷ୍କାର ପରିଚ୍ଛନ୍ନତାର ଶିକ୍ଷା ମଣିଷକୁ ଜ୍ଞାନର ଆଲୋକ ଦେଖାଇବା ଭଳି ମନେହୁଏ। ସାମାନ୍ୟ ପରିଷ୍କାର ପରିଚ୍ଛନ୍ନତା ଶିକ୍ଷାରୁ ମନେହୁଏ ମଣିଷ ସୃଷ୍ଟିରୁ ଆହୁରି ବହୁତ ଶିକ୍ଷା କରିବାର ସମୟ ଆସିଛି। ଶ୍ରୀମଦ୍‌ଭଗବଦ୍‌ ଗୀତାର ସପ୍ତଦଶ ଅଧ୍ୟାୟରେ ଖାଦ୍ୟର ପ୍ରକାର ଭେଦ ଓ କେଉଁ ଖାଦ୍ୟ ଉଚିତ ଓ ଅନୁଚିତ ତାହା ବିଶଦ୍‌ ଭାବରେ ମଣିଷର ସୁସ୍ଥ ଜୀବନଯାପନ ପାଇଁ ବର୍ଣ୍ଣନା କରାଯାଇଅଛି। ତେଣୁ ଖାଦ୍ୟ ହେଉଛି ମଣିଷର ସ୍ବାସ୍ଥ୍ୟ ଓ ମସ୍ତିଷ୍କ ଉନ୍ନତିର ଆଧାର। ଖାଦ୍ୟର ପ୍ରକାର ଭେଦ ଓ ଶୈଳୀ ଯେଉଁଭଳି ହେବ ଚିନ୍ତାଧାରା ମଧ୍ୟ ଅନୁରୂପ ଭାବେ ହେବ, ଯାହା ବୈଦିକ ନୀତି ଦ୍ୱାରା ଗୃହୀତ ଓ ବିଜ୍ଞାନ ସମ୍ମତ।
ସମୟର ସଦୁପଯୋଗ ବାହାନାରେ ପ୍ରକୃତି ପ୍ରତି ସମ୍ବେଦନଶୀଳ ନ ହୋଇ ପ୍ରକୃତି ସହ ଯୁଦ୍ଧ କଲେ ମଣିଷର ହାରିବା ସୁନିଶ୍ଚିତ ବରଂ ପ୍ରକୃତିକୁ ଯଥା ଯୋଗ୍ୟ ସମ୍ମାନ ଦେଇ ସଂଯମ ଓ ଆତ୍ମସଂଯମ ହୋଇ ପରିବେଶ, ପ୍ରକୃତିରେ ସମସ୍ତଙ୍କୁ ସମାନ ଅଧିକାର ଦେଇ ଦୁର୍ବଳକୁ ଅତ୍ୟାଚାର ନ କରି ସହଯୋଗର ହାତ ବଢାଇଲେ ସମସ୍ତେ ସୁଖ ଶାନ୍ତିରେ ବାସ କରିପାରିବେ। କରୋନା ବା କରୋନା ଭଳି ଅଧିକ ବିପଜ୍ଜନକ ଭୂତାଣୁର ଉତ୍ପତ୍ତିକୁ ନିରାକରଣ କଲେ ଭୂତାଣୁର ମୁକାବିଲା କରିବାକୁ ଦରକାର ହୁଅନ୍ତା ନାହିଁ। ବର୍ତ୍ତମାନ ସାରା ବିଶ୍ୱକୁ ଗୋଟିଏ ମାତ୍ର ଭୟ ତାହା ହେଉଛି ପରିବେଶ ଓ ଭୂତାଣୁ । ମୂଷା ଦ୍ୱାରା ଭୂତାଣୁ, କୁକୁଡା ଦ୍ୱାରା ଭୂତାଣୁ, ଘୁଷୁରି ଦ୍ୱାରା ଭୂତାଣୁ, ମଶା ଦ୍ୱାରା ଭୂତାଣୁଗୁଡିକ ମଣିଷକୁ ପ୍ରତିଶୋଧ ପରାୟଣ ଭଳି ଆକ୍ରାନ୍ତ କରୁଅଛି। ଶରୀରରେ ପ୍ରତିରୋଧକ ଶକ୍ତି ମାତ୍ରା ଯଦି ସୁଷମ ଖାଦ୍ୟ ଦ୍ୱାରା ସନ୍ତୁଳିତ ହୁଏ ତେବେ ଉକ୍ତ ଭୂତାଣୁଗୁଡିକ ଆକ୍ରାନ୍ତରୁ ଆମେ ହୁଏତ ରକ୍ଷା ପାଇପାରିବା, ତେଣୁ ଏଥିପାଇଁ ଦରକାର ପରିମିତ ସନ୍ତୁଳିତ ଆହାର ଓ ସୁସ୍ଥ ପରିବେଶ। ମଣିଷ ଅନୁସରଣ, ଅନୁକରଣ, ଅନୁଶୀଳନ ଓ ଅନୁଭବରୁ ଶିକ୍ଷାଲାଭ କରିଥାଏ ଓ କରୋନା ହେଉଛି ମଣିଷ ସମାଜକୁ ପରିମାର୍ଜିତର ଏକ ଚେତାବନୀ। ସମୟ ଆସିଛି ମନୁଷ୍ୟ ସମାଜକୁ ପ୍ରକୃତି ନିକଟରୁ ଶିକ୍ଷାକରି ପ୍ରକୃତି ସହ ବନ୍ଧୁତା କରି ଉଚିତ ମାର୍ଗରେ ଜୀବନ ଅତିବାହିତ କରିବାକୁ। କରୋନାରୁ ଯଦି ଆମେ କିଛି ଶିକ୍ଷା ନ କରିପାରିବା ତେବେ ସମଗ୍ର ବିଶ୍ୱରେ ଭୂତାଣୁର ଜୟ ହେବ ଓ ସୃଷ୍ଟିର ବୁଦ୍ଧିମାନ ଚତୁର ମଣିଷ କରୋନା ଦ୍ୱାରା ଶେଷ ହୋଇଯିବ। ଜୀବଜନ୍ତୁ, ପଶୁପକ୍ଷୀ, ସରୀସୃପଙ୍କ ନିକଟରୁ ସୃଷ୍ଟି ହୋଇଥିବା ଭୂତାଣୁ ମଣିଷ ସମାଜକୁ ଏକପ୍ରକାର ଏକଘରିଆ କରି ମଣିଷର ଅହଂକାର ଓ ଔଦ୍ଧତ୍ୟକୁ ଧଂସ କରିବାକୁ ବସିଲାଣି। ବର୍ତ୍ତମାନ ମଣିଷ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ଅତୀତକୁ ବିଶ୍ଳେଷଣ କରିବାକୁ ସଜାଗ ହେଉଛି। ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ସ୍ବାସ୍ଥ୍ୟ ଯେତେବେଳେ ଠିକ ନ ଥାଏ ସେତେବେଳେ ସେ ଭକ୍ତମାନଙ୍କୁ ସାକ୍ଷାତ ନ କରି ଅଣସରରେ ଥା’ନ୍ତି ।
ବର୍ତ୍ତମାନ ସମଗ୍ର ବିଶ୍ୱବାସୀ ଜଗନ୍ନାଥଙ୍କର ଅଣସର ନୀତିକୁ ପାଥେୟ କରିବାର ସମୟ ଆସିଛି। ଅଣସରରେ ରହି ଯେପରି ନିଷ୍ଠା କରାଯାଏ, ବର୍ତ୍ତମାନ ଜନତା ତାହା କରିବା ଉଚିତ। ଦୃଷ୍ଟାନ୍ତରୁ ମଣିଷର ଶିକ୍ଷା ହୋଇଥାଏ ଓ ଶିକ୍ଷାକୁ କାର୍ଯ୍ୟକାରୀ କଲେ ତାହାର ସଫଳ ରୂପାୟନ ମିଳିଥାଏ। ତେଣୁ ‘କରୋନା’ରୁ ‘କରନା’ ହେଉଛି ଆମ ପାଇଁ ଏକ ଶିକ୍ଷା, ଯାହା ଦ୍ୱାରା ଆମେ ସଂଶୋଧିତ ହୋଇ ଭୂତାଣୁର ଉତ୍ପତ୍ତିକୁ ଏଡାଇ ଦେଇପାରିବା। ଏଥିପାଇଁ ଦରକାର କେବଳ ଖାଦ୍ୟ ସଂଯମତା ଓ ପ୍ରକୃତି ପ୍ରତି ଉଦାର କର୍ତ୍ତବ୍ୟ ଓ ଅଣସର ନିଷ୍ଠା।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ୟୁନିଟ-୪, ଭୁବନେଶ୍ୱର
ମୋ-୯୯୩୭୩୪୫୯୦୦
satyanarayan-mishra2003@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri