ଅଡୁଆରେ ଟମାଟୋ ଚାଷୀ

କେନ୍ଦୁଝର, ୨୬ା୨(ସ୍ବ.ପ୍ର.)-ଚାଷକୁ ପ୍ରୋତ୍ସାହନ ମିଳୁଥିବା ବେଳେ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ। ଫଳରେ ଅନେକ ସମୟରେ ଅଧିକ ଉତ୍ପାଦନ କରି ଚାଷୀ ଅଡୁଆରେ ପଡୁଛନ୍ତି। ଏଭଳି ଅଡୁଆରେ ସଦର ବ୍ଲକର ରାଇସୁଆଁ, ପଦ୍ମପୁର, ନୂଆଗାଁ ଆଦି ପଞ୍ଚାୟତର ଚାଷୀ ମାନେ ପଡିଯାଇଛନ୍ତି ା ଏହି ଅଞ୍ଚଳର ଚାଷୀମାନେ ଚାଷ କରି ପନିପରିବା କେନ୍ଦୁଝର ସହର ତଥା ଆଖପାଖ ଅଞ୍ଚଳକୁ ଯୋଗାଇଦେଇଥାନ୍ତି ା ପ୍ରତ୍ୟେକ ବର୍ଷ ପ୍ରଚୁର ପରିମାଣରେ ବିଲାତି ଚାଷ କରୁଥିଲେ ହେଁ ବିକ୍ରିବଟା ବା ସଂରକ୍ଷଣର କୌଣସି ବ୍ୟବସ୍ଥା ନ ଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ପନିପରିବାର ଉଚିତ ମୂଲ୍ୟ ପାଉନାହାନ୍ତି। ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ ା ଏଣୁ ବହୁ ପରିମାଣରେ ବିଲାତି ଅନେକ ସମୟରେ ବିକି ନ ପାରି ପଚିଯାଇ ନଷ୍ଟ ହେଉଥିବାରୁ ଚାଷୀମାନେ ଚିନ୍ତାରେ ରହୁଛନ୍ତି। ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ବର୍ଷ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଅଦ୍ୟାବଧି ପ୍ରତିଷ୍ଠା ହୋଇନାହିଁ। ସେହିପରି ଅଭାବୀ ବିକ୍ରି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରଶାସନ ତତ୍ପରତା ଦେଖାଇ ବିକିବା ପାଇଁ ବ୍ୟବସ୍ଥା ଗ୍ରହଣ କରେ ା କିନ୍ତୁ ସ୍ଥାୟୀ ବ୍ୟବସ୍ଥା କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି।
ଅନ୍ୟପକ୍ଷେ ଅଦିନିଆ ବର୍ଷା ଯୋଗୁ ବିଲାତିଗୁଡ଼ିକ ଜମିରେ ପଡି ପଡି ନଷ୍ଟ ହେଉଛି। ସେହିପରି ବଜାରରେ ବେପାରୀ ବା ଗ୍ରାହକ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଜିଲାରେ ସରକାରଙ୍କ ଦ୍ୱାରା ବହୁ ହଷ୍ଟେଲ ଚାଲୁଥିଲେ ହେଁ ସେସବୁ ପାଇଁ ପ୍ରଶାସନ ବିଲାତି କିଣି ଯୋଗାଇବା ପାଇଁ ବ୍ୟବସ୍ଥା କରୁ ନ ଥିବା ଏବଂ ବାହାରୁ ବେପାରୀ ଆସୁ ନ ଥିବାରୁ ବାହାରକୁ ଚାଲାଣ ହୋଇପାରୁ ନାହିଁ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଭାବୀ ବିକ୍ରି ଓ ନଷ୍ଟ ହେବା ଆଶଙ୍କା କରି ଚାଷୀ ଚିନ୍ତାରେ ଅଛନ୍ତି। ସୋମବାର ବହୁ ସଂଖ୍ୟାରେ ଚାଷୀ ସାଇକେଲ, ବାଇକ, ଅଟୋ ଆଦିରେ ବୋଝ ଓ ବସ୍ତାରେ ବିଲାତି ବୋହି ଡେଲି ମାର୍କେଟକୁ ଆଣିଥିଲେ ହେଁ କିଣିବା ପାଇଁ କେହି ନ ଆସିବାରୁ ନିରାଶ ହୋଇ ଫେରିଛନ୍ତି। ଏଣେ ବର୍ଷା ହେବାରୁ ବିଲାତି ଗୁଡିକ ପଚିଯିବା ଆଶଙ୍କା କରିଛନ୍ତି ଚାଷୀ। ଏଣୁ ପ୍ରଶାସନ ପକ୍ଷରୁ ବଜାର ବ୍ୟବସ୍ଥା କରିବା ସହ ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ବିଭିନ୍ନ ହଷ୍ଟେଲ ମାନଙ୍କୁ ବିଲାତି ଯୋଗାଣ ଆଦି ବ୍ୟବସ୍ଥା କରାଗଲେ ଚାଷୀ ଉପକୃତ ହୋଇପାରିବେ ବୋଲି ଉକ୍ତ ଅଞ୍ଚଳର ଜଣେ ଚାଷୀ ଜୟନୁଲ ଆବେଦିନ କହିଛନ୍ତି। ଧାରକରଜ କରି ଓ ପରିଶ୍ରମ କରି ଚାଷ କରିଛନ୍ତି ା ବିକିଲେ ଋଣ ଶୁଝିବେ ଓ ପରିବାର ଚଳାଇବେ ା ନ ବିକିଲେ କଣ କରିବୁ ବୋଲି ଚାଷୀ ଶୁକଦେବ କହିଛନ୍ତି।