Categories: ବାଣିଜ୍ୟ

ଅଟୋ ଶିଳ୍ପ ଉପରେ କରୋନା ପ୍ରଭାବ: କାର୍‌ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨।୩: କରୋନା ସଂକ୍ରମଣର ପ୍ରଭାବ ଧୀରେଧୀରେ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ପଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ହେବାକୁ ଇତିମଧ୍ୟରେ ଗତ ୨ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବଜାରରେ କାରବାରରେ ସଙ୍କଟ ଦେଖାଦେଇଛି। କରୋନାର ପ୍ରଭାବ ଭାରତୀୟ ଅଟୋ ଶିଳ୍ପ ଉପରେ ଅନୁଭୁତ ହୋଇଛି। ଏହାଯୋଗୁ ଟାଟା-ମହିନ୍ଦ୍ରା-ହୋଣ୍ଡା-ଏମ୍‌ଜି ଆଦି କମ୍ପାନୀର କାର୍‌ ବିକ୍ରି ହ୍ରାସ ପାଇବା ସହିତ କାରବାର ଅନ୍ୟ ବର୍ଷ ତୁଳନାରେ ଆଶା ଜନକ ସ୍ଥିତିରେ ନ ଥିବା କୁହାଯାଉଛି। ଚାଇନାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ତାଲା ପଡ଼ିବା ଯୋଗୁ କାର୍‌ ଯନ୍ତ୍ରାଶଂ ନିର୍ମାଣ ସମ୍ଭବ ହୋଇପାରୁ ନାହିଁ। ତେଣୁ ଏଭଳି ଅବସ୍ଥା ଦେଖାଦେଇଛି ବୋଲି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାରବିକ୍ରି ଏବଂ ବିପଣନ ମୁଖ୍ୟ ବିଜୟ ରାମ ନାକରା କହିଛନ୍ତି। ଫେବୃୟାରୀ ମାସରେ କମ୍ପାନୀର ବିକ୍ରିରେ ୪୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇ ଏହା ୩୨,୪୭୬ ୟୁନିଟ୍‌ ରହିଛି। ସେହିପରି ହୋଣ୍ଡା କାର୍‌ ବିକ୍ରିରେ ୪୬.୨୬ ପ୍ରତିଶତ ହ୍ରାସ ହୋଇ ଏହା ୭,୨୬୯ ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ଫେବୃୟାରୀରେ ଏହା ୧୩,୫୨୭ ୟୁନିଟ୍‌ ଥିଲା। ଟାଟା କାର୍‌ ବିକ୍ରିରେ ଫେବୃୟାରୀରେ ୩୪ ପ୍ରତିଶତ ହ୍ରାସ ଦୃଷ୍ଟି ଗୋଚର ହୋଇ ଏହାର ବିକ୍ରି ୩୮,୦୦୨ ୟୁନିଟ୍‌ ରହିଛି। ଗତବର୍ଷ ଫେବୃୟାରୀରେ ଏହା ୫୭,୨୨୧ ୟୁନିଟ୍‌ ବିକ୍ରି କରିଥିଲା। ଏମ୍‌ଜି ମୋଟରର୍ସର କାର୍‌ ବିକ୍ରି ଫେବୃୟାରୀରେ ୧,୩୭୬ ୟୁନିଟ୍‌ ରହିଛି। ଅପରପକ୍ଷରେ ହୁଣ୍ଡାଇ ବିକ୍ରିରେ ୧୦.୩ ପ୍ରତିଶତ ହ୍ରାସ ଦୃଷ୍ଟିଗୋଚର ହୋଇଛି। ତେବେ ମାରୁତି ସୁଜ୍‌କି, ଟୟୋଟା ଆଦି କମ୍ପାନୀର କାରବାର ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ପଡ଼ି ନ ଥିବା ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ଯୋଜନା କରାଯାଉଥିବା ଏସବୁ କମ୍ପାନୀ କହିଛନ୍ତି।

Share