ଅଟୋରେ ପ୍ରସବ କଲେ ମହିଳା

ଫିରିଙ୍ଗିଆ, ୨ା୮- ଯାତାୟାତ ସୁବିଧା ନାହିଁ। ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଫଳରେ ଜଣେ ଆସନ୍ନ ପ୍ରସବାଙ୍କୁ ଅଟୋରେ ଆଣିବାବେଳେ ସେଥିରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଡ୍ରେସୁରୁ ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ଗ୍ରାମର ବିଜୁ ଦିଗାଲଙ୍କ ସ୍ତ୍ରୀ ମେନକାଙ୍କ ଗୁରୁବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ବାଲନ୍ଦାପଡା ଡାକ୍ତରଖାନାକୁ ନେବା ପାଇଁ ଜନନୀ ଏକ୍ସପ୍ରେସକୁ ଡକାଯାଇଥିଲା। ହେଲେ ଗମନାଗମନ ସୁବିଧା ନ ଥିବାରୁ ସେଠାକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ପରିବାର ଲୋକେ ବାଧ୍ୟ ହୋଇ ଏକ ଅଟୋରେ ଆଶାକର୍ମୀଙ୍କ ସହାୟତାରେ ବାଲନ୍ଦାପଡ଼ା ଡାକ୍ତରଖାନାକୁ ଆଣୁଥିଲେ। ଗୋବରନଳା ଗ୍ରାମ ପାଖରେ ମହିଳା ଜଣକ ଉକ୍ତ ଅଟୋରେ ପ୍ରସବ କରିଥିଲେ। ବାଲନ୍ଦାପଡାରେ କେହି ଡାକ୍ତର ନ ଥିବାରୁ ପରିବାର ଲୋକେ ଏ ସମ୍ପର୍କରେ ପାହିରାଜୁ ଏ.ଏନ୍‌.ଏମ୍‌ଙ୍କ ଅବଗତ କରିଥିଲେ। ବର୍ଷା ଯୋଗୁ ପ୍ରାଥମିକ ଚିକତ୍ସା ଯୋଗାଇ ଦେବାକୁ ଏଏନଏମ୍‌ ମଧ୍ୟ ପହଞ୍ଚି ପାରି ନ ଥିଲେ। ପରିବାର ଲୋକେ ବାଧ୍ୟ ହୋଇ ଶିଶୁପୁତ୍ରକୁ ଧରି ଗୋବରନଳାଠାରୁ ନିଜ ଗ୍ରାମ ଡ଼୍ରେସୁରୁ ଫେରିଥିଲେ। ଏଏନଏମ୍‌ଙ୍କ ନିକଟରେ ଗର୍ଭବତୀଙ୍କ ସମସ୍ତ ତଥ୍ୟ ଥିବା ବେଳେ କାହିଁକି ଆଗୁଆ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ପାହିରାଜୁ ଏଏନ୍‌ଏମ୍‌ ଡ଼ାଇନା ନାୟକଙ୍କୁ ପଚାରିବାରୁ ମା’ ଗୃହକୁ ଆଣିବାର ଦାୟିତ୍ୱ ଆଶା କର୍ମୀଙ୍କର ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି।