ଅଜଣା ରୋଗରେ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଖୁଣ୍ଟା,୧୯ା୮(ଡି.ଏନ୍‌.ଏ.)- ଅଜଣା ରୋଗରେ ଗୋରୁଗାଈ ଆକ୍ରାନ୍ତ ହେଉଥିବାରୁ ଖୁଣ୍ଟା ଅଞ୍ଚଳର ଗୋପାଳକମାନେ ଚିନ୍ତାରେ ପଡିଛନ୍ତି। ଚାଷୀମାନଙ୍କ କହିବା ଅନୁଯାୟୀ ଗୋରୁଗାଈଙ୍କ ଦେହରେ ଫୋଟକା ଭଳି ଫୁଲି ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସେଗୁଡିକ ଫାଟି ଘା’ ସୃଷ୍ଟି ହେଉଛି । ପ୍ରଥମେ ଆଗ ଗୋଡ଼ ଦୁଇଟିର ଗଣ୍ଠି ସ୍ଥାନ ଫୁଲି ଯାଉଛି। ଏଭଳି ରୋଗକୁ ସାଧାରଣ ଭାବେ ଚାଷୀମାନେ ବସନ୍ତ ରୋଗ ବୋଲି କହୁଥିବା ବେଳେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଏହାକୁ ଏକ ପ୍ରକାର ଭୁତାଣୁ ଜନିତ ଚର୍ମ ରୋଗ ବୋଲି ଚିହ୍ନଟ କରିଛନ୍ତି ଏବଂ ଏହା ଆରୋଗ୍ୟ ଯୋଗ୍ୟ ବୋଲି ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ୩ ଦିନରୁ ୫ ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ଉକ୍ତ ରୋଗ ଭଲ ହୋଇଯାଉଛି ବୋଲି କହିଛନ୍ତି । ଆକ୍ରାନ୍ତ ଗୋରୁଗାଈଙ୍କ ରକ୍ତ ଓ ଆକ୍ରାନ୍ତ ସ୍ଥାନ ଚର୍ମର ନମୁନା ଜିଲା ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିଲେ ରୋଗ ବିଷୟରେ ଅଧିକ ସୂଚନା ମିଳିବ ବୋଲି କହିଛନ୍ତି। ଚିକିତ୍ସା କେନ୍ଦ୍ରରେ ଗୋରୁଗାଈଗୁଡିକୁ ଚିକତ୍ସା କରାଯାଉଥିବା ବେଳେ ଭ୍ରାମ୍ୟମାଣ ବ୍ୟବସ୍ଥାରେ ଖବର ଆସୁଥିବା ଗ୍ରାମକୁ ଯାଇ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି। ତେବେ ଏହି ରୋଗରେ କୋଣସି ଗୋରୁଗାଈ ମରି ନାହାନ୍ତି ବୋଲି ଚିକତ୍ସା ଅଧିକାରୀ ସୁଧାଂଶୁ ଶେଖର ମଣ୍ଡଳ ଓ ଅତିରିକ୍ତ ଚିକିତ୍ସା ଅଧିକାରୀ ଅର୍ଚ୍ଚନା ଷଡ଼ଙ୍ଗୀ କହିଛନ୍ତି। ବିଭାଗର ସୂଚନା ଅନୁଯାୟୀ, ଉକ୍ତ ଚିକିତ୍ସା କେନ୍ଦ୍ରର ସେବା ପରିସର ଅଧୀନରେ ଥିବା ଖୁଣ୍ଟା ବ୍ଲକର କଟରାଶୋଳ,ଗଡିଗାଁ , ଧରମପୁର, ନୂଆସହି, ଧାନଘେରା, ଖୁଦପୁଟୁଲି ,ବିସିପୁର, ଚୂନଡିହା, ଅଙ୍ଗାର କୁଣ୍ଡିଆ , ଛତରମା , ବାହାନଡା ଓ ପଡୋଶୀ ଗୋପବନ୍ଧୁ ନଗର ବ୍ଲକର ବଡ଼ଖୁଣ୍ଟା ଓ ଟାଙ୍ଗଣା ଆଦି ମୋଟ ୧୩ଟି ଗ୍ରାମରେ ୬୮ ଗୋଟି ଗୋରୁଗାଈ ଆକ୍ରାନ୍ତ ହୋଇଥିବା ବେଳେ ସେଗୁଡିକୁ ଚିକିତ୍ସା କେନ୍ଦ୍ର ବ୍ୟତୀତ ଏହା ଅଧୀନରେ ଥିବା ୫ ଗୋଟି ଉପକେନ୍ଦ୍ର ମାଧ୍ୟମରେ ଚିକିତ୍ସା ଜାରି ରହିଛି ।