ଅଙ୍ଗନଓ୍ବାଡି କର୍ମୀଙ୍କୁ ଆକ୍ରମଣ

ଠାକୁରମୁଣ୍ଡା,୧୯ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ବାଉଁଶଡିହା ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଶନିବାର ସକାଳେ ଜଣେ ଯୁବକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଠାକୁରମୁଣ୍ଡା ଥାନା ପୋଲିସ ଏକ ମାମଲା(ନଂ.୪୬/୨୦୨୦) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ପୋଲିସ ସିଆରପିସି ୪୧ ଧାରାରେ ନୋଟିସ ଦେଇ ଅଭିଯୁକ୍ତଙ୍କୁ ଛାଡ଼ିି ଦେଇଛି।
ସୂଚନା ଅନୁଯାୟୀ, ଅଙ୍ଗନଓ୍ବାଡି କର୍ମୀ ଜଣକ ଘରକୁ ଘର ବୁଲି କରୋନା ପାଇଁ ସଚେତନ କରିବା ସହିତ ବାହାରୁ କେହି ଲୋକ ଗାଁକୁ ଆସିଲେ କ୍ୱାରାଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଉଥିଲେ। ୧୭ ତାରିଖ ସେ ଗ୍ରାମର ଜଣଙ୍କ ଘରକୁ ଯାଇ ନୂଆ ଲୋକ କେହି ଆସିଥିବା ବିଷୟରେ ଆଲୋଚନା କରିବାରୁ ସେହି ଘରର ଜଣେ ମହିଳା ତାଙ୍କୁ ଧମକଚମକ ଦେଇଥିଲେ l ପରଦିନ ସେହି ଗ୍ରାମର କଟୁ ଟଙ୍ଗଣିଆ ନାମକ ଜଣେ ଯୁବକ ଅଚାନକ ସକାଳ ୭ଟା ବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ଘରକୁ ଆସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନା ଆସି ଚିକିତ୍ସିତ ହେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ବିଡ଼ିଓ, ସିଡିପିଓଙ୍କ ପରାମର୍ଶ କ୍ରମେ ଅଙ୍ଗନଓ୍ବାଡି କର୍ମୀ ଥାନାରେ ଏତଲା ଦେଇଥିଲେ।