ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଜନ ଅସନ୍ତୋଷ : ଅନ୍‌ଲାଇନ ଆବେଦନରୁ ବଞ୍ଚିତ ପ୍ରାର୍ଥୀ

ନିରାକାରପୁର,୨୬ା୭(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନ ନିରାକାରପୁର ସେକ୍‌ଶନରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ବର୍ଷାଋତୁ ଚାଲିଥିଲେ ମଧ୍ୟ କମ୍‌ ପରିମାଣରେ ବା ଆଦୌ ବର୍ଷା ହେଉ ନ ଥିବାରୁ ଗ୍ରୀଷ୍ମଋତୁ ଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ପରିସ୍ଥିତିରେ ଅଘୋଷିତ ଭାବେ ଦୈନିକ ୮ରୁ ୧୦ ଘଣ୍ଟା ବିଦ୍ୟୁତ୍‌ କାଟ ଯୋଗୁ ଜନ ଅସନ୍ତୋଷ ଦେଖାଦେଇଛି। ଏହାବ୍ୟତୀତ ସେନାବାହିନୀ, କଲେଜ୍‌ରେ ନାମଲେଖା ଏବଂ ଅନ୍ୟାନ୍ୟ ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ଆବେଦନ କାର୍ଯ୍ୟ ଜାରି ରହିଥିବାରୁ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟ, ବିଭ୍ରାଟ ଯୋଗୁ ଛାତ୍ରୀଛାତ୍ର ଓ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ପ୍ରାର୍ଥୀ ବିଦ୍ୟୁତ୍‌ ବ୍ୟାଘାତ ଯୋଗୁ ଅନ୍‌ଲାଇନ ଆବେଦନରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ, ଏ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଫେଡ଼୍‌କୋ ଯୋଗାଉଥିବାବେଳେ ସେସୁ ମୁଖ୍ୟ ଲାଇନ୍‌ ସେବା ଯୋଗାଉଛି। ତେଣୁ ବିଦ୍ୟୁତ୍‌ କାଟ ପରେ ଯଦି ଉକ୍ତ ୨ ସଂସ୍ଥାକୁ ଗ୍ରାହକଟିଏ ଫୋନ୍‌ କରନ୍ତି ତେବେ କେହି କଲ୍‌ ରିସିଭ୍‌(ଫୋନ୍‌ ନ ଉଠାଇବା) କରୁ ନ ଥିବାବେଳେ ଅନ୍ୟ କେହି କର୍ମଚାରୀ ଫୋନ୍‌କୁ ସୁଇଚ୍‌ ଅପ୍‌ ମୋଡ଼୍‌ରେ ରଖି ଦେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଉଲ୍ଲେଖଯୋଗ୍ୟ, ଗ୍ରାହକ ସେବା ନିମନ୍ତେ ଫୋନ୍‌ ୨୪ ଘଣ୍ଟା ବିଦ୍ୟୁତ୍‌ ସମସ୍ୟାଜନିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉତ୍ତର ଦେବା ଆବଶ୍ୟକ ସ୍ଥଳେ ଅଧିକାଂଶ ସମୟ ବ୍ୟସ୍ତ ରହୁଥିବା ଓ ଉତ୍ତର ଦେଉ ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମସ୍ୟା ନେଇ ନିରାକାରପୁର ସେକ୍‌ଶନ କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ରାତିରେ କୁରାଢ଼ମଲଠାରେ ଲାଇନ୍‌ ଖରାପ ହୋଇଥିଲା। ରାମେଶ୍ୱର ପଞ୍ଚାୟତ ଖଜୁରିପଡ଼ାଠାରେ ଦୁଇଟି ଶଙ୍ଖ ଖସିଯାଇଥିଲା। ମରାମତି ପରେ ଲାଇନ୍‌ ସ୍ବାଭାବିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି।