ଅଗ୍ନିକାଣ୍ଡ: ୧୧ ବଖରା ପାଉଁଶ

ଭୁବନ/ଆଠମଲ୍ଲିକ, ୧୬।୫ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡ ତେଲିସାହିରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଶଙ୍କର୍ଷଣ ସାହୁ, ତପନ ସାହୁ, ଦୀପକ ସାହୁଙ୍କ ବଖରାଏ ଲେଖାଏ ଜଳିଯାଇଛି। ଏଥିରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିବାବେଳେ ବାସହରା ହୋଇଯାଇଛନ୍ତି ୩ ପରିବାର। ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆର୍‌ଆଇ ଶ୍ରୀକାନ୍ତ କୁମାର ପରିଡ଼ା ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ସେହିପରି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ନୂଆମାଣିତ୍ରୀ ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ୮ ବଖରା ଜଳିଯାଇଛି। ଗ୍ରାମର ବବୃ ପ୍ରଧାନଙ୍କ ଘରେ ପ୍ରଥମେ କୌଣସି କାରଣରୁ ନିଅଁ। ଲାଗିବା ପରେ ଏହା ବୀରେନ ପ୍ରଧାନ, ସୁମନ୍ତ ପ୍ରଧାନ, ମାଧବ ପ୍ରଧାନ, ଜୀବର୍ଦ୍ଧନ ପ୍ରଧାନଙ୍କ ଘରକୁ ବ୍ୟାପିଯାଇଥିଲା। ଖବର ଲେଖା ହେବା ବେଳକୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
କରୋନା ବିପତ୍ତି ସମୟରେ ସର୍ବସ୍ବ ହରାଇଥିବା ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି।