ଅଗ୍ନିକାଣ୍ଡରେ ୪ ବଖରା ପାଉଁଶ

ବନ୍ତଳା, ୧୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ପୁରୁଣାଗଡ଼ ମାଟିଆ ସାହି ପଞ୍ଚାୟତ ମଦନମୋହନ ପାଟଣାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ୪ ପରିବାର ସରୋଜ ବେହେରା, ପଳଉ ବେହେରା, ବ୍ରଜବନ୍ଧୁ ବେହେରା ଓ ହାଡ଼ିବନ୍ଧୁ ବେହେରାଙ୍କ ୪ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଦେଢ଼ ଲକ୍ଷ ଟଙ୍କା, ଗହଣା ଆଦି ଜଳିଯାଇଛି। ପ୍ରଥମେ ସରୋଜଙ୍କ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ଘରକୁ ବ୍ୟାପିଥିବା ଜଣାପଡିଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ହେଁ ସେତେବେଳକୁ ସବୁକିଛି ନଷ୍ଟ ହୋଇଯାଇଥିଲା।  ମାଟିଆସାହି ସରପଞ୍ଚ ସହଦେବ ବେହେରା ସେଠାକୁ ଯାଇ ବିପନ୍ନ ପରିବାର ପାଇଁ ଖାଇବା ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଯିବାକୁ ଦାବି ହୋଇଛି।