Categories: ଗଞ୍ଜାମ

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ ହେବା ସହ ଆସବାବପତ୍ର ନଷ୍ଟ ହୋଇଯାଇଛି । ବିପନ୍ନ ଜଣଙ୍କ ହେଉଛନ୍ତି ଗୋପୀ ଦାସଙ୍କ ଝିଅ ବିନ ଦାସ।
ସୂଚନା ଅନୁଯାୟ, ବିନ ଅବିବାହିତ ହୋଇଥିବା ବେଳେ ସେ ଗ୍ରାମଠାରୁ କିଛି ଦୂରରେ ଏକ କୁଡ଼ିଆ ଘର କରି ରହୁଥିଲେ। ଗତକାଲି ସେ ତାଙ୍କ ପିଉସୀ ଘର ଖଣ୍ଡିଆନଇ ଯାଇଥିବା ବେଳେ ମଧ୍ୟ ରାତ୍ରିରେ କୌଣସି କାରଣରୁ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଘରଟି ଗ୍ରାମଠାରୁ ଦୂରରେ ଥିବାରୁ ଏହା କେହି ଜାଣିପାରି ନ ଥିଲେ । ଫଳରେ ଘରଟି ସମ୍ପୂର୍ଣ ଜଳିଯାଇଥିଲା। ଏହାସହ ଘରେ ଥିବା ସମସ୍ତ ଆସବାବପତ୍ର ଯଥା ଦୁଇ ବସ୍ତା ଚାଉଳ, ମୁଗ, ରାଶି, କିଛି ଟଙ୍କା, ରାଶନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା, ଭତ୍ତା ଖାତା, ଜମିପଟା ଓ ରୋଷେଇ ସାମଗ୍ରୀ ଆଦି ପୋଡି ପାଉଁଶ ହୋଇଯାଇଥିବା ବିନ ପ୍ରକାଶ କରିଛନ୍ତି। ବିପନ୍ନଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।